add-all

ନୋଇଡା: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାର ଏକ ହଷ୍ଟେଲରେ ଖାଦ୍ୟ ଖାଇ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ସମସ୍ତ ଛାତ୍ରଙ୍କୁ ଗ୍ରେଟର ନୋଏଡାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନେକ ଛାତ୍ରଙ୍କୁ ପ୍ରାଥମିକ ଚିକିତ୍ସା ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଡାକ୍ତରଙ୍କ କହିବା ଅନୁସାରେ, ଛାତ୍ରମାନେ ଫୁଡ୍ ପଏଜନିଂ( ଖାଦ୍ୟ ବିଷାକ୍ତୀକରଣ)ରେ ପୀଡ଼ିତ ହୋଇଛନ୍ତି। ଅନ୍ୟପକ୍ଷରେ ୟୁପି ଗୃହ ବିଭାଗ ଏହି ମାମଲାକୁ ଗୁରୁତର ସହ ନେଇ ରିପୋର୍ଟ ମାଗିଛି।
ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ ଗ୍ରେଟର ନୋଏଡାର କୋତୱାଲି ନଲେଜ୍ ପାର୍କ ଅଞ୍ଚଳରେ ଥିବା ଆର୍ଯ୍ୟନ ରେସିଡେନ୍ସି ଓ ଲଏଡ୍ ଲ’ କଲେଜର ହଷ୍ଟେଲରେ ରହୁଥିବା ଅନେକ ଛାତ୍ରଛାତ୍ରୀ ହଠାତ୍ ବାନ୍ତି କରିବା ଆରମ୍ଭ କରିଥିଲେ। ତେଣୁ ଅନେକ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଯାହା ପରେ ପୂରା ହଷ୍ଟେଲରେ ହଇଚଇ ସୃଷ୍ଟି ହୋଇଥିଲା। ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛି ଛାତ୍ରଙ୍କୁ ଚିକିତ୍ସା କରାଯାଇ ଡିସଚାର୍ଜ କରାଯାଇଥିଲା। ତେବେ ଏବେ ବି କେତେକଙ୍କ ଚିକିତ୍ସା ଜାରି ରହିଛି।
ଏତଦ୍ ବ୍ୟତୀତ ଏପିଜେ କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ଫୁଡ୍ ପଏଜନିଂର ଶିକାର ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏପିଜେ କଲେଜର ୧୨ରୁ ଅଧିକ ଛାତ୍ରଛାତ୍ରୀ ଗ୍ରେଟର ନୋଏଡାର କୈଳାସ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। କୈଳାସ ହସ୍ପିଟାଲରେ ୫୦ ଜଣ ଓ ଜିମ୍ସ ହସ୍ପିଟାଲରେ ୩୦ରୁ ଅଧିକ ଛାତ୍ରଛାତ୍ରୀ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା କଲେଜ ଓ ହଷ୍ଟେଲ ମ୍ୟାନେଜମେଣ୍ଟ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ଛାତ୍ରୀମାନେ ଅଭିଯୋଗ କରିଛନ୍ତି।

ad-week
Leave A Reply

Your email address will not be published.