ମହିଳାମାନଙ୍କୁ କେଜ୍ରିୱାଲଙ୍କ ଅନୁରୋଧ, ସ୍ୱାମୀମାନେ ମୋଦି ନାମ ଜପ କରୁଥିଲେ ଖାଇବାକୁ ଦିଅନାହିଁ

add-all

‘ଯଦି ଆପଣଙ୍କ ସ୍ୱାମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ଜପ କରୁଛନ୍ତି, ତା’ହେଲେ ସେମାନଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ।’ ଶନିବାର ଦିଲ୍ଲୀରେ ଏକ ମହିଳା ସମ୍ମାନ ସମାବେଶରେ ଯୋଗ ଦେଇ ଏହି କଥା କହିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

ସେ କହିଥିଲେ, ଅନେକ ପୁରୁଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ଜପ କରୁଛନ୍ତି। ସେମାନଙ୍କୁ ଆପଣମାନେ ଠିକ୍ କରିପାରିବେ। ଯେଉଁମାନଙ୍କ ସ୍ୱାମୀମାନେ ମୋଦି ନାମ ଜପ କରୁଛନ୍ତି, ସେମାନେ ସ୍ୱାମୀମାନଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ। ସେହିପରି ଆପ୍‌କୁ ସମର୍ଥନ କରିବାକୁ ଆପଣମାନେ ଆପଣମାନଙ୍କ ପରିବାର ଲୋକଙ୍କୁ କୁହନ୍ତୁ। ଆପ୍‌କୁ ସମର୍ଥନ କରିବାକୁ ସେମାନଙ୍କୁ ଆପଣମାନଙ୍କ ମୁଣ୍ଡ ଛୁଇଁ ଶପଥ ନେବାକୁ କୁହନ୍ତୁ।

ସେହିପରି ବିଜେପିକୁ ସମର୍ଥନ କରୁଥିବା ମହିଳାମାନଙ୍କୁ ବୁଝାଇ ଆପ୍‌କୁ ସମର୍ଥନ କରିବାକୁ କହିବାକୁ କେଜ୍ରିୱାଲ ଉପସ୍ଥିତ ମହିଳାମାନଙ୍କୁ କହିଥିଲେ। ସେ କହିଥିଲେ, ଯେଉଁ ମହିଳାମାନେ ବିଜେପିକୁ ସମର୍ଥନ କରୁଛନ୍ତି, ସେମାନଙ୍କୁ କୁହନ୍ତୁ ଯେ, ମୁଁ ସେମାନଙ୍କ ପାଇଁ ବିଜୁଳିକୁ ମାଗଣା କରିଛି। ବସ୍‌ରେ ଯା’ଆସକୁ ବି ମାଗଣା କରିଛି। ଏବେ ମୁଁ ମହିଳାମାନଙ୍କୁ ମାସକୁ ୧୦୦୦ ଟଙ୍କା ଲେଖାଏଁ ଦେବି। ବିଜେପି ସେମାନଙ୍କ ପାଇଁ କ’ଣ କରିଛି? ତା’ହେଲେ କାହିଁକି ବିଜେପିକୁ ଭୋଟ୍ ଦେବେ? ଏଥର କେଜ୍ରିୱାଲଙ୍କୁ ଭୋଟ୍ ଦେବେ। ମହିଳାଙ୍କ ବିକାଶ ନାଁରେ ବିଜେପି ଠକେଇ କରୁଥିବା ସେ କହିଥିଲେ।

କେଜ୍ରିୱାଲ ଆହୁରି କହିଥିଲେ, ବିଭିନ୍ନ ଦଳ ଜଣେ ମହିଳାଙ୍କୁ କିଛି ପଦପଦବୀ ଦେଇ ସମସ୍ତ ମହିଳାଙ୍କ ଉନ୍ନତି ହେଲା ବୋଲି କହୁଛନ୍ତି। ମୁଁ କହୁନି ଯେ ମହିଳାଙ୍କୁ କୌଣସି ପଦପଦବୀ ଦେବା କଥା ନୁହେଁ। ସେମାନଙ୍କୁ ପଦପଦବୀ ଓ ଟିକେଟ୍ ମିଳିବା ଉଚିତ୍। ସେମାନେ ସବୁ କିଛି ପାଇବା ଉଚିତ। କିନ୍ତୁ ଏଥିରୁ କେବଳ ଦୁଇ କିମ୍ବା ଚାରି ଜଣ ମହିଳା ଉପକୃତ ହେବେ। ଅନ୍ୟ ମହିଳାମାନେ କ’ଣ ପାଇବେ? ମହିଳାଙ୍କୁ ସଶକ୍ତ କରିବା ପାଇଁ ଅର୍ଥ ଆବଶ୍ୟକ। ସେଥିପାଇଁ ଆମ ସରକାର ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା ଆଣିଛି। ଏବେ ମହିଳାମାନେ ପ୍ରକୃତ ପକ୍ଷେ ସଶକ୍ତ ହେବେ ଯେତେବେଳେ ପ୍ରତିମାସରେ ସେମାନେ ୧୦୦୦ ଟଙ୍କା ଲେଖାଏଁ ପାଇବେ। ଏହା ଯୋଜନା ସାରା ବିଶ୍ୱରେ ସବୁଠୁ ବଡ଼ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ।  

ad-week
Leave A Reply

Your email address will not be published.