ଗ୍ରୀଷ୍ମ ଋତୁ ପୂର୍ବରୁ ସଦନମେଣ୍ଢିରେ ପାଣି ସମସ୍ୟା : ଜାତୀୟ ରାଜପଥରେ ମହିଳା…

add-all


ଫୁଲବାଣୀ : ରାଜ୍ୟ ସରକାର ପାଣି ସମସ୍ୟା ନ ଉପୁଜିବା ପାଇଁ ବସୁଧା ଯୋଜନା କରିଛନ୍ତି, ଘରେ ଘରେ ସମସ୍ତେ ସ୍ୱଚ୍ଛ ପାଣି ପାଇବେ l ମୁଖ୍ୟ ଜାତୀୟ ରାଜପଥକୁ ଲାଗି ରହିଥିବା ସଦନମେଣ୍ଢି ଗ୍ରାମରେ ପାଣି ସମସ୍ୟାକୁ ନେଇ ୧୫୭ ନମ୍ବର ଜାତୀୟ ରାଜପଥକୁ ଗ୍ରାମବାସୀ ମାନେ ଅବରୋଧ କରିଥିବା ଦେଖିବାକୁ ମିଳିଥିଲା । କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଗୁମାଗଡ଼ ପଞ୍ଚାୟତର ସଦନମେଣ୍ଡି ଗ୍ରାମର ମହିଳା ମାନେ ରାସ୍ତାରେ ହାଣ୍ଡି, ମାଠିଆ ରଖି ରାସ୍ତା ଅବରୋଧ କରିଥିଲେ । ଯାହା ଫଳରେ ଫୁଲବାଣୀ ଠାରୁ ବ୍ରହ୍ମପୁର ଯାତାୟତ ଠପ ହୋଇ ପଡିଥିଲା । ଏବେ ଧୀରେ ଧୀରେ ଖରା ଉତ୍ତାପ ବଢ଼ିବା ସାଙ୍ଗକୁ ନଦୀ ନାଳର ପାଣି ଶୁଖିବାକୁ ଲାଗିଲାଣି। ସଦନ ମେଣ୍ଢି ଗ୍ରାମରେ ତିନୋଟି ନଳକୂପ ଥିଲେ ମଧ୍ୟ ପାଣି ଠିକ୍ ଭାବରେ ବାହାରୁ ନାହିଁ । ଯାହା ଫଳରେ ଗ୍ରାମବାସୀ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଗ୍ରାମରେ ଲାଇନ୍ ପାଣି ପାଇପ୍ ପଡ଼ିଥିଲେ ମଧ୍ୟ ପାଣି

ଆସୁନାହିଁ। ଏହି ସମ୍ପର୍କରେ ବହୁବାର ଗ୍ରାମ୍ୟ ଜଳ ଯୋଗାଣ ବିଭାବକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଗ୍ରାମର ମହିଳାମାନେ ଉତ୍ତ୍ୟକ୍ତ ହୋଇ ଫୁଲବାଣୀ ଠାରୁ ବ୍ରହ୍ମପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଯାହା ଫଳରେ ରାସ୍ତାର ଉଭୟପାର୍ଶ୍ୱରେ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ଅଟକି ରହିଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ସ୍ଥାନୀୟ ସରପଞ୍ଚ, ସଦର ଥାନା ଅଧିକାରୀ,ଫୁଲବାଣୀ ବିଡ଼ିଓ ପ୍ରତୀକ କୁମାର ସାହୁ ପହଁଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାଶୁଝା କରିବା ପରେ ରାସ୍ତା ଅବରୋଧରୁ ଉଠିଥିଲେ। ତଥାପି ଯଦି ଖୁବଶୀଘ୍ର ଏହି ପାଣି ସମସ୍ୟାର ସମାଧାନ ନକଲେ ଆଗାମୀ ଦିନରେ ଭୋଟ ବର୍ଜନ ସହ ରାସ୍ତାଘାଟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଥିଲେ l

ad-week
Leave A Reply

Your email address will not be published.