ମାଲକାନଗିରି ସବୁବେଳେ, ସବୁ କାମରେ ମୋର ପ୍ରଥମ ପସନ୍ଦ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରବାର ଦିନ ମାଲକାନଗିରି ଜିଲ୍ଲା ବଡପଡାରେ ନୂତନ ଅତ୍ଯାଧୁନିକ ଶିକ୍ଷା ସୌଧର ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ମାଲକାନଗିରି ସବୁବେଳେ, ସବୁ କାମରେ ମୋର ପ୍ରଥମ ପସନ୍ଦ ହୋଇ ରହିଆସିଛି। ଟଙ୍କିକିଆ ଚାଉଳ ହେଉ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଉ ବା ଲକ୍ଷ୍ମୀ ଯୋଜନା- ସବୁ କାର୍ଯ୍ୟକ୍ରମ ଏହିଠାରୁ ହିଁ ଆରମ୍ଭ କରାଯାଇଛି। ବଡପଡା ଶିକ୍ଷା ସୌଧ ପାଇଁ ଆନନ୍ଦ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ, ପିଲାମାନଙ୍କ ପାଠ ପଢାର ସୁବିଧା ତଥା ସେମାନଙ୍କ ବ୍ୟକ୍ତିତ୍ୱର ବିକାଶ ପାଇଁ ଏହି ଅନୁଷ୍ଠାନ ଗଢା ଯାଇଛି । ଏହି ସବୁ ସୁବିଧା ସହରର କୌଣସି ଆଧୁନିକ ଶିକ୍ଷା ଅନୁଷ୍ଠାନର ସୁବିଧାଠାରୁ କମ୍ ନୁହେଁ ।
ମୁଖ୍ୟମନ୍ତ୍ରୀ ସ୍ୱାଭିମାନ ଅଞ୍ଚଳର ପିଲାମାନେ ଏହାର ସୁଯୋଗ ନେଇ ନିଜ ପାଇଁ ଏକ ସୁନ୍ଦର ଭବିଷ୍ୟତ ଗଢିବେ ବୋଲି ସେ ଆଶା ଓ ବିଶ୍ୱାସ ପ୍ରକଟ କରିଥିଲେ। ଶୃଙ୍ଖଳା, ପ୍ରତିବଦ୍ଧତା ସହିତ କଠିନ ପରିଶ୍ରମ ଓ ନିଷ୍ଠାର ସହ କାମ କଲେ ସଫଳତାର ମାର୍ଗ ପ୍ରଶସ୍ତ ହୁଏ ବୋଲି ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଶିକ୍ଷା ସୌଧରେ ଥିବା ସମସ୍ତ ସୁବିଧାର ଉପଯୋଗ କରି ନିଜର ପ୍ରତିଭାର ବିକାଶ ପାଇଁ କାମ କରିବାକୁ ସେ କହିଥିଲେ ଏବଂ ନିଜ ପରିବାର, ନିଜ ସ୍କୁଲ ଓ ନିଜ ଗାଁ ପାଇଁ ସୁନାମ ଆଣିବାକୁ ପରାମର୍ଶ ଦେଇଥିଲେ।
୫ଟି ଉପକ୍ରମରେ ହାଇସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ପିଲାମାନଙ୍କ ମନରେ ବଡ ହେବା ପାଇଁ ଆତ୍ମବିଶ୍ୱାସ ସୃଷ୍ଟି କରିଛି। ଅନୁସୂଚିତ ଜାତି ଓ ଜନଜାତି ପିଲାମାନେ ପାଠପଢାଠାରୁ ଖେଳ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି ମତ ଦେଇ ସେ ଏଥିପାଇଁ ଖୁସି ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯୋଗଦେଇ କହିଥିଲେ ଯେ ଆଗାମୀ ଦିନରେ ସ୍ୱାଭିମାନ ଅଞ୍ଚଳରେ ଏକ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏହା ମାଧ୍ୟମରେ ସ୍ୱାଭିମାନ ଅଞ୍ଚଳର ଯୁବଗୋଷ୍ଠୀ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ପାଇବେ। ସେ ଆହୁରି ମଧ୍ୟ କହିଥିଲେ ଯେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ମାଲକାନଗିରିରୁ ହିଁ କରାଯାଇଛି। ସ୍ୱାଭିମାନ ଅଞ୍ଚଳର ବିକାଶ ନିମନ୍ତେ ସେତୁ ଯୋଜନାର ପରିକଳ୍ପନା ଜରିଆରେ ଅଞ୍ଚଳରେ ଗମନାଗମନ, ସ୍ୱାସ୍ଥ୍ୟ ଓ ଶିକ୍ଷା ଭିତ୍ତିଭୂମିର ବିକାଶ ହୋଇପାରିଛି।
ଏହି ଶିକ୍ଷା ସୌଧରେ ପ୍ରଥମରୁ ଉଚ୍ଚ ମାଧ୍ୟମିକ ବା ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ଗୋଟିଏ ସ୍ଥାନରେ ଶିକ୍ଷା ଲାଭ କରିପାରିବେ। ୭ ଏକର ଜମିରେ ସ୍ଥାପନ କରାଯାଇଥିବା ଏହି ଆଧୁନିକ ଶିକ୍ଷା ସୌଧ ପାଇଁ ୧୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ହଜାରେରୁ ଅଧିକ ପିଲା ପାଠ ପଢିବେ। ଭବିଷ୍ୟତ ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବାକୁ ଏଥିରେ ସମସ୍ତ ଆଧୁନିକ ସୁବିଧା ସୁଯୋଗ ରହିଛି। ସ୍ମାର୍ଟ କ୍ଲାସ ରୁମ, ୩ ହଜାର ପୁସ୍ତକ ବିଶିଷ୍ଟ ଇ-ଲାଇବ୍ରେରି, ଟ୍ରାଇବାଲ କର୍ଣ୍ଣର, କୁନି ପିଲାଙ୍କ ଆକ୍ଟିଭିଟି ରୁମ, ଏନସିସି ପ୍ରକୋଷ୍ଠ, କମ୍ପ୍ୟୁଟର ଲ୍ୟାବ, ଆଇସିଟି ସ୍ମାର୍ଟ ଲର୍ଣ୍ଣିଂ ସେଣ୍ଟର, ବିଜ୍ଞାନ ପରୀକ୍ଷାଗାର ରହିଛି । ଏହାଛଡ଼ା ୨୦୦ ଆସନ ବିଶିଷ୍ଟ ଛାତ୍ରାବାସ, ୫୦୦ ଆସନ ବିଶିଷ୍ଟ ଛାତ୍ରୀନିବାସ, ଆମ୍ପିଥିଏଟର. ସୁଦୃଶ୍ୟ ବଗିଚା, ସ୍ପୋର୍ଟ୍ସ କୋର୍ଟ, ଓପନ ଜିମ୍, ସୋଲାର ଲାଇଟିଂ, ସୋଲାର ୱାଟର ସପ୍ଲଏ ଆଦି ଅନେକ ବ୍ଯବସ୍ଥା ରହିଛି।

nis-ad
Leave A Reply

Your email address will not be published.