ଶିମିଳିପାଳ ଅଭୟାରଣ୍ୟରେ ଅଫିମ ଚାଷ ନଷ୍ଟ କଲା ପୋଲିସ

ମୟୂରଭଞ୍ଜ: ଅଫିମ ଚାଷର ହବ୍ ପାଲଟିଛି ଶିମିଳିପାଳ ଅଭୟାରଣ୍ୟ। ଏକର ଏକର ଜମିରେ ଚାଲିଛି କୋଟି କୋଟି ଟଙ୍କାର ଅଫିମ ଚାଷ। ଅଭୟାରଣ୍ୟର କୋର୍ ଅଞ୍ଚଳରେ ବର୍ଷ ବର୍ଷ ଧରି ଚାଲିଥିବା ନିଶାଦ୍ରବ୍ୟର ଏହି ଫସଲ ବିଷୟରେ ଜାଣିବା ପରେ ୩ କୋଟି ଟଙ୍କାର ଅଫିମ ନଷ୍ଟ କରିଛି ପୁଲିସ।

ଅଭୟାରଣ୍ୟର ଆଭ୍ୟନ୍ତରୀଣ ଅଞ୍ଚଳ, ଯଶିପୁର ଥାନା ଫୁଲବାଡ଼ି ଓ ଜୋଜଗୁଡ଼ା ଗାଁରେ ରେଡ୍ କରି ଅଫିମ ଚାଷକୁ ନଷ୍ଟ କରିଛି ପୁଲିସ, ଅବକାରୀ ଓ ବନ ବିଭାଗର ମିଳିତ ଟିମ୍।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ୧୦ ତାରିଖରେ ବନବିଭାଗ, ପୁଲିସ ଏବଂ ଅବକାରୀ ବିଭାଗ ଶିମିଳିପାଳ ଅଭୟାରଣ୍ୟରେ ଚାଲିଥିବା ଅଫିମ ଚାଷ ଉପରେ ବଡ଼ ଧରଣର ଚଢାଉ କରିଥିଲା। ଅଭୟାରଣ୍ୟର ବକୁଆ ଏବଂ କୁକୁରଭୁକା ଗାଁରେ ୫ ଲକ୍ଷ ୨୫ ହଜାରରୁ ଅଧିକ ଅଫିମ ଗଛ ନଷ୍ଟ କରିଥିଲେ ଟିମ୍। ଯାହାର ଆନୁମାନିକ ମୂଲ୍ୟ ୧୦ କୋଟି ୬୬ ଲକ୍ଷ ହେବ। ସେଦିନ ଜଶିପୁର ରେଂଜ୍ ଜେନାବିଲ, ଖେଜୁରୀ ଏବଂ ଜଜଗଡ଼ାରେ ଅବକାରୀ ଟିମ୍ ଚଢାଉ କରି ୩ ଲକ୍ଷ ୮୫ ହଜାର ଅଫିମ ଗଛ ନଷ୍ଟ କରିଥିଲା। ଏହାର ଆନୁମାନିକ ମୂଲ୍ୟ ୭ କୋଟି ୭୦ ଲକ୍ଷ ହେବ। ତାପୂର୍ବରୁ ଗତ ଫେବ୍ରୁଆରୀ ୨୪ ତାରିଖରେ ଶିମିଳିପାଳ କୋର ଏରିଆରେ ୨୬ ଲକ୍ଷର ଅଫିମ ଗଛ ନଷ୍ଟ କରାଯାଇଥିଲା। ମାତ୍ର ଦୁଇ ମାସ ମଧ୍ୟରେ ପାଖାପାଖି ୨୦ କୋଟି ଟଙ୍କାର ଅଫିମ ନଷ୍ଟ ହେଲାଣି। ହେଲେ ପୁଲିସ ଓ ବନ ବିଭାଗ ଅଫିମ ମାଫିଆମାନଙ୍କୁ ଧରିବାରେ ବିଫଳ ହୋଇଛି।

ad-week
Leave A Reply

Your email address will not be published.