ୟୁପି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟି କଳାକୃତି ଓ ହିନ୍ଧୀ ଭାଷାରେ ଖୋଦିତ ହନୁମାନ ଚାଳିସା ପ୍ରଦାନ
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ କଞ୍ଚୁରୁ ପଞ୍ଚାୟତ କଣ୍ଟେଇକୋଳି ଗ୍ରାମର କାଠ କାରିଗର ତଥା ଶିଳ୍ପୀ ଅରୁଣ କୁମାର ସାହୁ ଗୁରୁବାର ଉତ୍ତରପ୍ରଦେଶର ଅଯୋଧ୍ୟା ମନ୍ଦିରରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାତଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଏକ କାଠ ତିଆରି ପ୍ରତିକୃତି ଓ କାଠରେ ନିର୍ମିତ ହିନ୍ଧୀ ଭାଷାରେ ଖୋଦିତ ହନୁମାନ ଚାଳିସା ପୁସ୍ତକ ପ୍ରଦାନ କରିଛନ୍ତି । ଶିଳ୍ପୀ ଅରୁଣଙ୍କ କଳାକୃତିକୁ ମୁଖ୍ୟମନ୍ତ୍ରୀ ଯୋଗୀ ଭୂୟସୀ ପ୍ରଂଶସା କରିଥିଲେ । ଅନ୍ୟପକ୍ଷରେ ଅଯୋଧ୍ୟା ରାମ ମନ୍ଦିରକୁ ବୁଲିବାକୁ ଆସୁଥିବା ଭକ୍ତମାନେ ହନୁମାନ ଚାଳିସା ସହଜରେ ପାଠ କଲା ଭଳି ଏକ ଶାଗୁଆନ ଓ ଗମ୍ଭାରୀ କାଠରେ ନିର୍ମିତ ହିନ୍ଦୀ ଭାଷାରେ ଖୋଦିତ ହୋଇଥିବା ହନୁମାନ ଚାଳିସା ବୋର୍ଡକୁ ମନ୍ଦିର ଟ୍ରଷ୍ଟି ମେମ୍ବରଡ. ଅନିଲ ମିଶ୍ର ଓ ସିଏଚ ରାଓଙ୍କୁ ପ୍ରଦାନ କରିଥିଲେ । ଉକ୍ତ ବୋର୍ଡକୁ ମନ୍ଦିରର ଉପଯୁକ୍ତ ସ୍ଥାନରେ ଟାଙ୍ଗିବା ସକାଶେ ଟ୍ରଷ୍ଟି ମେମ୍ବର ମାନେ କହିଛନ୍ତି । ଏହି ଅବସରରେ ରାଜ୍ୟ ସରକାରଙ୍କ ବହୁ ପଦସ୍ଥ ଅଧିକାରୀଙ୍କ ସହ ଅରୁଣଙ୍କ ସାଙ୍ଗ ଟୁକୁନା ବେହେରା ଉପସ୍ଥିତ ଥିଲେ । ଶିଳ୍ପୀ ଅରୁଣଙ୍କ ନିଆରା କଳାକୃତିକୁ ଯୋଗୀ ଆଦିତ୍ୟନାଥ ଭୁୟସୀ ପ୍ରଂଶସା କରିବା ସହ ସମ୍ବଦ୍ଧିତ କରିଥିଲେ ।
ପ୍ରକାଶ ଥାଉକି, ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ କଞ୍ଚୁରୁ ପଞ୍ଚାୟତ କଣ୍ଟେଇକୋଳି ଗ୍ରାମର ଭାସ୍କର ସାହୁଙ୍କ ପୁଅ ଅରୁଣ କୁମାର ସାହୁ ୧୯୮୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଗାଁ ପ୍ରାଥମିକ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଲାଭ କରିବା ପରେ ସରକାରୀ କଞ୍ଚୁରୁ ଉଚ୍ଚ ବିଦ୍ୟାଳୟରୁ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ଲାଭ କରିଥିଲେ । ପରେ ହିଞ୍ଜିଳିକାଟୁ ସ୍ୱଂୟସାଶିତ ବିଜ୍ଞାନ ମହାବିଦ୍ୟାଳୟରୁ +୨ କଳାରେ ଉତ୍ତୀର୍ଣ୍ଣ ଲାଭ କରିଥିଲେ । ପରବର୍ତ୍ତୀ ଅବସ୍ଥାରେ +୩ରେ ନାମ ଳେଖାଇଥିଲେ ମଧ୍ୟ ପରିବାରର ଆର୍ଥୀକ ଅଭାବ ଯୋଗୁଁ ଅଧାରୁ ପାଠ ଛାଡିବାକୁ ବାଧ୍ୟ ହୋଇଥିଲେ । ଜାତିରେ ରଙ୍ଗଣି ହୋଇଥିଲେ ମଧ୍ୟ କୌଳିକ ବୃତ୍ତି ଲୁଗା ବୁଣିବାକୁ ଛାଡି ପରିବାର ପ୍ରତିପୋଷଣ ସକାଶେ ବାପାଙ୍କ ସହ ମିଶି କାଠ କାମ ଆରମ୍ଭ କରିଥିଲେ । ପିଲାବେଳୁ ଦେଶ ବିଦେଶ ଭ୍ରମଣ କରିବାକୁ ତାଙ୍କ ମନରେ ପ୍ରବଳ ଆଗ୍ରହ ରହିଥିଲେ ମଧ୍ୟ ଆର୍ଥୀକ ଅନଟନ କାରଣରୁ ମନର ଇଚ୍ଛା ସଫଳ ହୋଇ ପାରୁନଥିଲା । ପରେ ବିଭିନ୍ନ ପର୍ଯ୍ୟଟନସ୍ତଳୀର ପ୍ରତିକୃତିକୁ କାଠରେ ନିର୍ମିତ କରିବା ପାଇଁ ମନରେ ଆଗ୍ରହ ଜନ୍ମିଥିଲା । ଘଟଣାକ୍ରମେ ଦିନକୁ ଦିନ ବିଭିନ୍ନ ପର୍ଯ୍ୟଟନସ୍ଥଳୀର ପ୍ରତିକୃତି ନିର୍ମାଣ କରି ସେ ଖ୍ୟାତି ଅର୍ଜନ କରିଥିଲେ । ଇଫିଳ ଟାୱର, ତାଜମହଲ, ଧଉଳିସ୍ତୁପ ସମେତ ଓଡିଶା ବିଧାନସଭାଶୌଧର ପ୍ରତିକୃତିକୁ କାଠରେ ନିର୍ମିତ କରିଥିଲେ । ଏଭଳି ପ୍ରତିକୃତି ଗିନିଜ ବୁକ ଅଫ୍ ଇଣ୍ଡିଆରେ ସ୍ଥାନିତ ହୋଇଛି । ମହାମାରୀ କରୋନା ଭୁତାଣୁ ସଂକ୍ରମଣ ସମୟରେ ପ୍ରାୟ ୧ମାସ ପରିଶ୍ରମ କରି ୧୦.୫ ଇଞ୍ଚ ଦୌର୍ଘ୍ୟ ଓ ୬.୫ ଇଞ୍ଚ ପ୍ରସ୍ଥ ସହ ୨.୫ ଇଞ୍ଚ ମୋଟେଇ ବିଶିଷ୍ଟ ଓଡିଆ ଭାଷାରେ ଖୋଦିତ ଥିବା ୭ ପୃଷ୍ଟା ବିଶିଷ୍ଟ ହନୁମାନ ଚାଳିସା ପ୍ରସ୍ତୁତ କରି ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଅର୍ପଣ କରିଥିଲେ । ସୋମବାର ଉତ୍ତରପ୍ରଦେଶରୁ ଫେରି ଗାଁରେ ପହଞ୍ଚିବା ପରେ ବିଭିନ୍ନ ସ୍ୱେଚ୍ଚାସେବୀ ଅନୁଷ୍ଠାନ ପକ୍ଷରୁ ଅରୁଣଙ୍କୁ ସମ୍ବଦ୍ଧିତ କରାଯାଇଛି ।
