ଓଡ଼ିଶାରେ ବିଜେଡି, ବିଜେପି ମେଣ୍ଟ ନେଇ ଏଯାଏଁ ହୋଇନି ନିଷ୍ପତ୍ତି: ଅମିତ୍ ଶାହ

ଭୁବନେଶ୍ୱର:  ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ ନେଇ ଏଯାଏଁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଏବେ ବି ଏହି ପ୍ରସଙ୍ଗରେ ପୂର୍ଣ୍ଣଚ୍ଛେଦ ପଡ଼ିନି ।  ବିଜେଡି-ବିଜେପି ମେଣ୍ଟ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ  ଆଜି କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହ ଏମିତି ମନ୍ତବ୍ୟ ଦେଇଛନ୍ତି ।

ଅମିତ ଶାହ କହିଛନ୍ତି,‘‘ ‘ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏହା ଉପରେ ନିଷ୍ପତ୍ତି ନେବେ ।’’

ନୂଆଦିଲ୍ଲୀରେ ନ୍ୟୁଜ ୧୮ ଟିଭି ଚ୍ୟାନେଲ ଦ୍ୱାରା ଆୟୋଜିତ ରାଇଜିଂ ଭାରତ ସମ୍ମିଳନୀରେ  ଓଡ଼ିଶାରେ ବିଜେପି –ବିଜେଡି ମେଣ୍ଟ  ନେଇ କରାଯାଇଥିବା ପ୍ରଶ୍ନର ଉତ୍ତରରେ ଅମିତ ଶାହ ଏହା କହିଛନ୍ତି ।

ଅମିତ ଶାହ କହିଛନ୍ତି,‘‘ ମେଣ୍ଟ ହେଉ କିମ୍ୱା ନ ହେଉ ବିଜେପି ଲୋକସଭା ଓ ବିଧାନସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିବ । ଏହା ନିଶ୍ଚିତ ଯେ ଆମେ ଓଡ଼ିଶାରେ ଆମର ଶକ୍ତି  ବୃଦ୍ଧି କରିବୁ ।  ମୋଦିଙ୍କ ପାଇଁ ଓଡ଼ିଶାର ଲୋକଙ୍କର ସ୍ନେହ ଆମ ବିଜେପି କର୍ମୀମାନେ ନମ୍ରତାର ସହ ଗ୍ରହଣ କରିଛନ୍ତି । ରାଷ୍ଟ୍ରୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସଂସଦରେ ବିଭିନ୍ନ ପ୍ରସଙ୍ଗରେ ବିଜେଡି ବିଜେପିକୁ ସମର୍ଥନ ଦେଇଛି । ଏହା ଗଣତନ୍ତ୍ରର ସବୁଠୁ ବଡ଼ ସୁନ୍ଦରତା  ।’’

ଏହି  ସମ୍ମିଳନୀରେ  ଗତକାଲି ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ମେଣ୍ଟ ସଂପର୍କିତ ପ୍ରତିକ୍ରିୟା ପରେ ଆଜି କେନ୍ଦ୍ର  ଗୃହମନ୍ତ୍ରୀ ଏହା କହିଛନ୍ତି ।

ଗତକାଲି ବିଜେଡି ନେତା ଭିକେ ପାଣ୍ଡିଆନ୍ କହିଥିଲେ‘‘ସଂଖ୍ୟା ବୃଦ୍ଧି କିମ୍ୱା ରାଜନୈତିକ ମାନଚିତ୍ର ଉପରେ  ପ୍ରଭାବ ପକାଇବା କାରଣରୁ ବିଜେଡି-ବିଜେପି ମଧ୍ୟରେ ମିଳିତ ଆଲୋଚନା ନୁହେଁ, କିଛି ଜିନିଷ ରାଜନୀତି ବାହାରେ ରହିଛି । ଦୁଇ ଲୋକପ୍ରିୟ ନେତା  ଏକାଠି ହେବାକୁ  ଚେଷ୍ଟା କରୁଛନ୍ତି ।’’

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡା ବିଜେପି-ବିଜେଡି ମେଣ୍ଟ ନେଇ  ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ମାର୍ଚ୍ଚ ୧୬ରେ ଅମିତ ଶାହ କହିଥିଲେ ।  ଯଦି ମେଣ୍ଟ ନ ହୁଏ  ତେବେ ଓଡ଼ିଶାରେ ବିଜେପି ସରକାର କରିବାକୁ ଚେଷ୍ଟା କରିବ।

ad-week
Leave A Reply

Your email address will not be published.