ବିଜେଡି ସୁପ୍ରିମୋଙ୍କ ଫଟୋଯୁକ୍ତ ହୋର୍ଡିଂ ତୁରନ୍ତ ହଟାଯାଉ, ଫେରାଦ ହେଲା ବିଜେପି

ଭୁବନେଶ୍ବର : ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ରାଜ୍ୟର ଶାସକ ଦଳ ଏହାକୁ ଖୋଲାଖୋଲି ଭାବେ ଉଲ୍ଲଘଂନ କରୁଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫଟୋଯୁକ୍ତ ସରକାରୀ ହୋର୍ଡିଂ ତୁରନ୍ତ ହଟାଇବାକୁ ବିଜେପି ଦାବି କରିବା ସହ ଏନେଇ ଆଜି ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଛି। ଏସବୁ ହୋର୍ଡିଂ ହଟାଇ ନଥିବା ସରକାରୀ ଅଧିକାରୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ବିଜେପି ଦାବି କରିଛି।
ବିଜେପି ରାଜ୍ୟ ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ରାଜ୍ୟରେ ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ସରକାରୀ ଦଳ ଖୋଲାଖୋଲି ଉଲ୍ଲଘଂନ କରୁଛି ବୋଲି ଲିଖିତ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ସାଧାରଣ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିବା ମାତ୍ରେ ଓଡ଼ିଶା ସମେତ ସମଗ୍ର ଦେଶରେ ନିର୍ବାଚନ ଆଚରଣବିଧି ଲାଗୁ ହୋଇସାରିଲାଣି। କିନ୍ତୁ ଏଯାଏଁ ବିଜୁ ଜନତା ଦଳର ହୋର୍ଡିଂ, ପୋଷ୍ଟର, ଦଳୀୟ ଚିହ୍ନ ତଥା ବିଜେଡି ସଭାପତିଙ୍କ ଫଟୋଚିତ୍ର ଥିବା ବଡ଼ ବଡ଼ ହୋର୍ଡିଂ ଓ ବିଜ୍ଞାପନ ସାଧାରଣ ସ୍ଥାନରୁ ହଟାଯାଉ ନାହିଁ। ଭୁବନେଶ୍ୱର ଏବଂ କଟକ ମହାନଗର ନିଗମର ବିଭିନ୍ନ ୱାର୍ଡ ଅଫିସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବଡ଼ ଫଟୋ ଏବେ ସୁଦ୍ଧା ରହିଛି।
ଜାଗା ମିଶନ ଓ ମୁକ୍ତା ଯୋଜନାର ହୋର୍ଡିଂ ମଧ୍ୟ ଲାଗିଛି। “ଆମ ଓଡ଼ିଶା ନବୀନ ଓଡ଼ିଶା” ଆମ ଓଡ଼ିଶା ନୂଆ ଓଡ଼ିଶା ଲେଖା ଥିବା ବହୁ କଟ୍ ଆଉଟ୍ ଏବଂ ହୋର୍ଡିଂ ବିଭିନ୍ନ ଜାଗାରେ ପୂର୍ବଭଳି ରହିଛି। ବହୁ ଜାଗାରେ ଶାସକ ଦଳର ହୋର୍ଡିଂ ଲାଗିଥିବାବେଳେ ବାଛି ବାଛି ପ୍ରଧାନମନ୍ତ୍ରୀଙ୍କ ଫଟୋ ଏବଂ ବିଜେପି ହୋର୍ଡିଂଗୁଡ଼ିକୁ କଢ଼ାଯାଇଥିବା ସେ ଅଭିଯୋଗ କରିଛନ୍ତି। ସାଧାରଣ ସ୍ଥାନ, ସରକାରୀ ଅନୁଷ୍ଠାନ ଓ କାର୍ଯ୍ୟାଳୟ ଆଦି ସ୍ଥାନରୁ ଶାସକ ବିଜେଡିର ନିର୍ବାଚନୀ ପୋଷ୍ଟର ଓ ବ୍ୟାନର ହଟାନଯିବା ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଂଘନ କରିଛି। ଏହି ହଟାଇବା ଦାୟିତ୍ୱରେ ଅବହେଳା କରିଥିବା ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ଦାବି କରିଛି।
ଏହି ପ୍ରତିନିଧି ଦଳରେ ବିଜେପି ମୁଖପାତ୍ର ଦିଲୀପ ମଲ୍ଲିକ ଓ ରାଜେନ୍ଦ୍ର ପଣ୍ଡାଙ୍କ ସମେତ ସୁରଥ ବିଶ୍ୱାଳ, ସୁଜିତ୍ କୁମାର ଦାସ ଓ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.