ଭୁବନେଶ୍ବରରେ ବ୍ରାଉନ ସୁଗାର ବିକୁଥିଲେ ଦୁଇ ଶିକ୍ଷିତ ଯୁବତୀ!

add-all

ଭୁବନେଶ୍ବର : ଉଚ୍ଚ ଶିକ୍ଷିତ ଓ ପ୍ରାଇଭେଟ୍‌ କମ୍ପାନୀରେ ଚାକିରି କରୁଥିଲେ। ହେଲେ ପେଶା ସେମାନଙ୍କର ଥିଲା ଧଳାଜହର କାରବାର। ରାଜଧାନୀରେ ଘର ଭଡ଼ା ନେଇ ଦୀର୍ଘଦିନ ଧରି ଏହି ବେପାର ଚଳାଇଥିଲେ ଦୁଇ ଯୁବତୀ। ହେଲେ କମିଶନରେଟ୍‌ ପୁଲିସ୍‌ ପଞ୍ଝାରେ ପଡ଼ିଗଲେ। ଶୁକ୍ରବାର କମିଶନରେଟ ପୁଲିସ୍‌ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳର ପ୍ରଜ୍ଞା ପ୍ରିୟା ସ୍ୱାଇଁ ଓ ବାଲେଶ୍ଵର ଜିଲ୍ଲା ବସ୍ତା ଅଞ୍ଚଳର କରିଶ୍ମା ରାଉତ। ଉଭୟ ଉଚ୍ଚ ଶିକ୍ଷିତ। ଖଣ୍ଡଗିରି ଥାନା ଯଦୁପୁର ଗାଁରେ ଏକ ଘର ଭଡ଼ା ନେଉ ରହୁଥିଲେ। ଉଭୟ ଏକ ପ୍ରାଇଭେଟ୍‌ କମ୍ପାନୀରେ ଚାକିରି କରୁଥିଲେ। ହେଲେ ସେମାନଙ୍କ ପେଶା ପାଲଟିଥିଲା ବ୍ରାଉନ୍‌ସୁଗର ବେପାର। ଦୀର୍ଘ ବର୍ଷେରୁ ଅଧିକ ସମୟ ଧରି ଦୁଇ ସୁନ୍ଦରୀ ଧଳା ଜହର କାରବାରରେ ଲିପ୍ତ ରହୁଥିଲେ। ସେମାନେ ନିଜେ ଖାଇବା ସହିତ ବେପାରରେ ଲିପ୍ତ ରହୁଥିଲେ। ରାଜଧାନୀର ଏକ ବ୍ରାଉନ୍‌ସୁଗର ବେପାରୀଠାରୁ ଆଣି କାରବାର କରୁଥିଲେ।
ବ୍ରାଉନ୍‌ସୁଗର କାରବାର ସମ୍ପର୍କରେ ଖବର ପାଇ କମିଶନରେଟ୍‌ ପୁଲିସ୍‌ ଓ ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ମିଳିତ ଭାବେ ଶୁକ୍ରବାର ଉକ୍ତ ଘରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଘରୁ ୨୬୫ ଗ୍ରାମ୍‌ ବ୍ରାଉନ୍‌ସୁଗର ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷରୁ ଅଧିକ ଟଙ୍କା ହେବ। ଏଥିସହ ପ୍ରଜ୍ଞା ଓ କରିଶ୍ମାଙ୍କୁ ଗିରଫ କରିଥିଲା। ଉଭୟଙ୍କଠାରୁ ପୁଲିସ୍‌ ୩ଟି ମୋବାଇଲ୍‌ ଓ ଗୋଟିଏ ଲାପ୍‌ଟପ୍‌ ଜବତ କରିଥିଲା। ବ୍ରାଉନ୍‌ସୁଗର ଯୋଗାଉଥିବା କିଙ୍କପିନ୍‌ଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି କମିଶନରେଟ୍‌ ପୁଲିସ୍‌।
ପୁଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, କଟକ ଓ ଭୁବନେଶ୍ୱରରେ ସେଫ୍‌ ସିଟି ଡ୍ରାଇଭ୍ ଚାଲିଛି। ଏହି କାର୍ଯ୍ୟ ଆଗକୁ ମଧ୍ୟ ଚାଲୁ ରହିବ। ଚଳିତବର୍ଷ ଆଜି ସୁଦ୍ଧା କମିଶନରେଟ୍‌ ପୁଲିସ୍‌ ଓ ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ଭୁବନେଶ୍ୱର ଅଞ୍ଚଳରୁ ୯୮୪ ଗ୍ରାମ ବ୍ରାଉନ୍‌ସୁଗର ଓ ୫୪୩ କିଗ୍ରା ଗଞ୍ଜେଇ ଜବତ କରିଛି। ୨୦୨୩ ମସିହାରେ ଭୁବନେଶ୍ୱରରୁ ପ୍ରାୟ ୩ କିଗ୍ରା ବ୍ରାଉନ୍‌ସୁଗର ଓ ୨୬ କ୍ୱିଣ୍ଟାଲ୍‌ ଗଞ୍ଜେଇ ଜବତ କରିଥିଲା।

ad-week
Leave A Reply

Your email address will not be published.