ବନ୍ୟପ୍ରାଣୀ ଆଇନ ଉଲ୍ଲଂଘନ ଅଭିଯୋଗରେ ଭଦ୍ରକର ୟୁଟ୍ୟୁବର ଗିରଫ

add-all

ଭଦ୍ରକ: ୟୁଟ୍ୟୁବର ମିର୍ଜା ମହମ୍ମଦ ଆରିଫଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଉଲ୍ଲଂଘନ ଅଭିଯୋଗରେ ବନ ବିଭାଗର ବନ୍ୟପ୍ରାଣୀ ଶାଖା ଗିରଫ କରିଛି। ଭଦ୍ରକ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଚଢ଼ାଉ ବେଳେ ଭଦ୍ରକ ପୁରୁଣାବଜାର କାଜିମହଲା ଅଞ୍ଚଳର ଆରିଫ୍ ଙ୍କ ନିକଟରୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ସଂରକ୍ଷିତ ଦୁଇଟି ପ୍ରଜାତିର କୋବ୍ରା ଥିବା ଦେଖିବାକୁ ମିଳିଥିଲା।

ୟୁଟ୍ୟୁବରେ ୨.୮୨ ନିୟୁତ ଏବଂ ଫେସବୁକରେ ୧.୪୪ ଲକ୍ଷରୁ ଅଧିକ ଫଲୋଅର ଥିବା ଆରିଫ୍ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସାପ ଉଦ୍ଧାର ଏବଂ ଅନ୍ୟ ବନ୍ୟପ୍ରାଣୀ ପ୍ରଜାତିର ଭିଡିଓ ସେୟାର କରୁଥିଲେ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ସୁଶାନ୍ତ ନନ୍ଦଙ୍କ କହିବାନୁସାରେ, ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି।

ମାର୍ଚ୍ଚ ୧୫ ତାରିଖରେ ରାଜ୍ୟ ସରକାର ଏକ ନିର୍ଦ୍ଦେଶନାମା ଜାରି କରି କହିଥିଲେ ଯେ ବନ୍ୟଜନ୍ତୁ ପ୍ରଜାତି ସହ ସେଲ୍ଫି, ଫଟୋ କିମ୍ବା ଅନ୍ୟ କୌଣସି ସାମଗ୍ରୀ ପୋଷ୍ଟ କରିବା ବନ୍ୟପ୍ରାଣୀ ସୁରକ୍ଷା ଆଇନର ଉଲ୍ଲଂଘନ। ଏଭଳି ଉଲ୍ଲଂଘନ ଦଣ୍ଡନୀୟ ଅପରାଧ, ୭ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ସହ ଜରିମାନା ହେବ।

ସୁଶାନ୍ତ ନନ୍ଦ ପ୍ରକାଶ କରିଛନ୍ତି ଯେ ଆରିଫ ପୂର୍ବରୁ ବନ୍ୟପ୍ରାଣୀ ଶାଖା ଦ୍ୱାରା ସାପ ଚଳାଉଥିବା ବ୍ୟକ୍ତିଙ୍କ ପାଇଁ ଧାର୍ଯ୍ୟ ନିର୍ଦ୍ଦେଶାବଳୀ ପାଳନ କରିବା ଏବଂ ସୋସିଆଲ ମିଡିଆରେ ଅପଲୋଡ୍ କରାଯାଇଥିବା ସମସ୍ତ ପୋଷ୍ଟକୁ ହଟାଇବା ପାଇଁ ବନ ବିଭାଗକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସେ ଏହି ନିୟମକୁ ପାଳନ କରିବାରେ ବିଫଳ ହୋଇଥିଲେ । ତେଣୁ ତାଙ୍କ ସୋଶିଆଲ ମିଡିଆ ଆକାଉଣ୍ଟକୁ ବନ୍ଦ କରିବାକୁ ବନ ବିଭାଗ ପକ୍ଷରୁ ସମ୍ପୃକ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଅନୁରୋଧ କରାଯାଇଛି।

ad-week
Leave A Reply

Your email address will not be published.