ଟିକେଟରୁ ବଞ୍ଚିତ ହେବା ପରେ ସୁରେଶଙ୍କ ସାମ୍ବାଦିକ ସମ୍ମିଳନୀ

add-all

ଝାରସୁଗୁଡ଼ା: ‘ଟିକେଟ ମିଳିଲେ ଉତ୍ସାହିତ ହେବାର ନାହିଁ କି ନ ମିଳିଲେ ଦୁଃଖ କରିବାର ନାହିଁ। ମୋ’ ଭବିଷ୍ୟତ ନିଷ୍ପତ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ବ ଉପରେ। ନିର୍ବାଚନ ଲଢ଼େ କି ନଲଢ଼େ କିନ୍ତୁ ଲୋକଙ୍କ ପାଇଁ କାମ କରିବି।’ ଆଜି ଝାରସୁଗୁଡ଼ାସ୍ଥିତ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଡାକି ବରଗଡ଼ ସାଂସଦ ସୁରେଶ ପୂଜାରୀ ଏଭଳି କହିଛନ୍ତି। ଏହି ସମୟରେ ଶ୍ରୀ ପୂଜାରୀ ତାଙ୍କ କାର୍ଯ୍ୟକାଳର ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି। ତେବେ ଲୋକସଭା ପ୍ରାର୍ଥୀ ଭାବେ ତାଙ୍କର ଟିକେଟ କାହିଁକି କଟିଲା ବୋଲି ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ୨୦୧୯ରେ ତାଙ୍କୁ ଟିକେଟ ମିଳିବା ପରେ କାହିଁକି ଟିକେଟ ମିଳିଲା ବୋଲି ତ’ କେହି ପାଲଟା ପ୍ରଶ୍ନ କରିନଥିଲେ ବୋଲି କହି ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି।

ଶ୍ରୀ ପୂଜାରୀ କହିଛନ୍ତି, ସେ ସାଂସଦ ଥିବାସମୟରେ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ସେତୁ ନିର୍ମାଣ ଭଳି ଅସମ୍ଭବ ସ୍ବପ୍ନ ଦେଖି ତାକୁ ସମ୍ଭବ କରାଇପାରିଛି। କେବଳ ସେତିକି ନୁହେଁ, ବରଂ ହାର୍ଟ ହସ୍ପିଟାଲ, ବିସ୍ଥାପିତଙ୍କ ଟ୍ରିବ୍ୟୁନାଲ, ଲଇକେରା ଓ କିର୍ମିରା ବ୍ଲକ୍‌କୁ ଆଇଟିଡିଏ ମାନ୍ୟତା, ରେଳ ବିକାଶ ଭଳି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିଛି। ଝାରସୁଗୁଡ଼ା ବିମାନବନ୍ଦରକୁ ଅନ୍ତର୍ଜାତୀୟ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ, ଝାରସୁଗୁଡ଼ା-ତାଳଚେର ନୂତନ ରେଳ ଲାଇନ୍‌, ୪୯ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ, ଇବ୍‌ ନଦୀରେ ଦ୍ବିତୀୟ ସେତୁ ନିର୍ମାଣ ଭଳି ପ୍ରକଳ୍ପ ଏବେ ସୂ‌ର୍ଯ୍ୟାଲୋକ ଦେଖିବାର ଅପେକ୍ଷାରେ ରହିଛି। ତେବେ ବରଗଡ଼ ସଂସଦୀୟ କ୍ଷେତ୍ରରୁ ଯିଏ ବି ସାଂସଦ ହେବେ ତାଙ୍କୁ ଶୁଭକାମନା ଏବଂ ସାଂସଦ ନହେଲେ ବି ସେ ବ୍ୟକ୍ତିଗତ ଉଦ୍ୟମରେ ଲୋକଙ୍କ ପାଇଁ କାମ କରିବେ ବୋଲି କହିଥିଲେ। କେବଳ ସେତିକି ନୁହେଁ, ବରଂ ଝାରସୁଗୁଡ଼ାର ଦରଦୀ ପୁଅ ଭାବେ ଲୋକେ ତାଙ୍କୁ ଦେଖିବେ ବୋଲି ସେ ଦୃଢୋକ୍ତି ବାଢ଼ିଥିଲେ।

ଟିକେଟ କଟିବା ପରେ ଶ୍ରୀ ପୂଜାରୀ ନିର୍ବାଚନ ରାଜନୀତିରୁ ଦୂରେଇ ଯିବେ କି ବୋଲି ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଲୋକଙ୍କ ପାଇଁ କାମ କରିବାକୁ ଭୋଟ୍‌ କେବଳ ଗୋଟିଏ ଘଟଣା‌ ବୋଲି ସେ କହିଛନ୍ତି। ଏହି ଭୋଟ୍‌ ଅସ୍ତ୍ରରେ ଲୋକଙ୍କ ପାଇଁ କାମ କରାଯାଇପାରେ, କିନ୍ତୁ ଏହି ଅସ୍ତ୍ର ନଥିଲେ ଅନ୍ୟ ଅସ୍ତ୍ର ମଧ୍ୟ ରହିଛି ବୋଲି ସେ କହିଥିଲେ। ତେବେ ଶ୍ରୀ ପୂଜାରୀ ବ୍ରଜରାଜନଗର ଆସନରୁ ଲଢ଼ିବା ପ୍ରସଙ୍ଗରେ ଉତ୍ତର ଦେଇ ଦଳ ଯାହା ନିଷ୍ପତ୍ତି ନେବ ବୋଲି କହିଥିଲେ। ଶ୍ରୀ ପୂଜାରୀ ଅନ୍ୟ ଦଳକୁ ଡେଇଁପାରନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ଚାଲିଥିବା ଚର୍ଚ୍ଚାକୁ ସେ ଖଣ୍ଡନ କରିଥିଲେ। ବି‌ଜେପି ତାଙ୍କୁ ରାଜନୈତିକ ପରିଚୟ ଦେଇଛି, ରାଜ୍ୟ ବିଜେପିରେ ତାଙ୍କୁ ସଭାପତି କରିଛି, ସଂସଦରେ ତାଙ୍କୁ ବିଭିନ୍ନ କମିଟିର ସଦସ୍ୟ କରାଇଛି, ତେଣୁ ସେ କାଲି ବିଜେପିରେ ଥିଲେ, ଆଜି ଅଛନ୍ତି ଓ ଆସନ୍ତାକାଲି ମଧ୍ୟ ବିଜେପିରେ ରହିବେ ବୋଲି କହିଛନ୍ତି। ଏହି ସମ୍ମିଳନୀରେ ସାଂସଦ ଶ୍ରୀ ପୂଜାରୀଙ୍କ ସହିତ ସୁଧାଂଶୁ ଦୋରା, ଦିନେଶ ଜୈନ, ମହେନ୍ଦ୍ର କେଡିଆ, ସତ୍ୟନାରାୟଣ ବହିଦାର, ଭୂପେନ୍ଦ୍ର ବୈଦ୍ୟ, ଅମର ବଜାଜ, ତପନ ସ୍ୱାଇଁ, ତପନ ଜେନା, ଗୋପାଳ ପଟେଲ ତଥା ପୂର୍ବତନ ଜିଲ୍ଲା ସଭାପତି ପ୍ରମୋଦ ସେନାପତି ଓ ବର୍ତ୍ତମାନ ଯୁବ ବିଜେପିର ରାଜ୍ୟ ସଂପାଦକ ସୁଜିତ ସିଂ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.