ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳିତ…

youtube

ମାଲକାନଗିରି : ଓଡିଶା ଦିବସ ହେଉଛି ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ଭାବାବେଗର ପ୍ରତୀକ। ୮୯ତମ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ଉତ୍ସବକୁ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହକାରେ ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଆୟୋଜନ କରାଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସଚିନ ପାୱାର ଏଥିରେ ଯୋଗଦାନ କରି ମହାତ୍ମା ଗାନ୍ଧୀ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସମେତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଓଡିଶା ଦିବସ ଓଡିଆଙ୍କ ଅସ୍ମିତାର ମହୋତ୍ସବ। ଜଣେ ଓଡିଆ ଭାବରେ ଆମର ଗୌରବମୟ ଇତିହାସ, ଆମ ଭାଷା, ଆମ ସାହିତ୍ୟ ଓ ଆମ ସଂସ୍କୃତିକୁ ସାଥିରେ ଧରି ଆମକୁ ବଢ଼ିବାକୁ ହେବ। ଯାହା ଦ୍ବାରା ବିକାଶ ହେବ ଓ ଶ୍ରେଷ୍ଠ ଏବଂ ସଶକ୍ତ ଓଡ଼ିଶା ଗଠନ ହୋଇପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ କହିଛନ୍ତି। ସେହିପରି ଆମ ପୂର୍ବସୁରୀମାନେ ଯେଉଁ ସଂଗ୍ରାମ, ତ୍ୟାଗ ଓ ବଳିଦାନ ଦେଇ ଆମ ରାଜ୍ୟକୁ ଗଢିଥିଲେ ସେମାନଙ୍କ ପଦାଙ୍କ ଅନୁସରଣ କରି ଯୁବପିଢି ରାଜ୍ୟକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ ଆହ୍ଵାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ, ଜିଲ୍ଲା ଶିକ୍ଷା ଅଧିକାରୀ, ବିଶ୍ଵନାଥ ସାହୁ, ଜିଲ୍ଲା ନିୟୋଜନ ଓ ଦକ୍ଷତା ଅଧିକାରୀ, ମନସ୍ୱୀ ସେଠୀ, ତହସିଲଦାର, ଡ଼ଃ ଲଳିତ ବାଘ ଓ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ସସ୍ମିତା ସ୍ୱାଇଁ ଉପସ୍ଥିତ ରହି ବରପୁତ୍ର ମାନଙ୍କର ସ୍ମୃତିଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ପରିଚାଳନା କରିଥିଲେ। ଆଜି ପୂର୍ବାହ୍ନରେ ସହରର ଅନ୍ୟାନ୍ୟ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଦ୍ଵାରା ପ୍ରଭାତରେ ଡ଼ାକବାଜି ଯନ୍ତ୍ର ଯୋଗେ ଉତ୍କଳ ବନ୍ଦନା ବଜାଯାଇ ପରିକ୍ରମା କରାଯାଇଥିଲା। ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରିଥିଲେ। ପରିଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ, ସନ୍ତ୍ରାସ ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସତ୍ୟ ନାରାୟଣ ଓ ଘଡେଇ ଆବାସିକ ମହାବିଦ୍ୟାଳୟ, ଆଇଏମଏସଟି ବିଦ୍ୟାଳୟର ବିଦ୍ୟାର୍ଥୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ହରେକୃଷ୍ଣ କୀର୍ତ୍ତନିଆ, ରଞ୍ଜନ ମହାନ୍ତିଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସଂପର୍କ ଏବଂ ଜିଲ୍ଲା ସଂସ୍କୃତି ବିଭାଗର କର୍ମଚାରୀ ସହଯୋଗ କରିଥିଲେ।

Leave A Reply

Your email address will not be published.