କେଜ୍ରିୱାଲଙ୍କୁ ୧୫ ତାରିଖ ପର୍ଯ୍ୟନ୍ତ ଜେଲ୍‌କୁ ପଠାଇ ଦେଲେ କୋର୍ଟ

add-all

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ। ଇଡିର ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରିଥିଲା ଇଡି। ତାଙ୍କୁ ଆଉ ରିମାଣ୍ଡରେ ନେବା ପାଇଁ ଆବେଦନ କରି ନଥିଲା ଇଡି। ତେବେ ଆବଶ୍ୟକ ପଡ଼ିଲେ ଭବିଷ୍ୟତରେ ପୁଣି ଥରେ ତାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରାଯାଇପାରେ ବୋଲି ଇଡି କୋର୍ଟଙ୍କୁ କହିଥିଲା।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତିହାର ଜେଲ୍‌କୁ ନେବା ପୂର୍ବରୁ ପତ୍ନୀ ସୁନୀତା କେଜ୍ରିୱାଲ ଓ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଅତିଶି ଏବଂ ସୌରଭ ଭରଦ୍ୱାଜଙ୍କ ସହିତ ଭେଟ କରାଇ ଦେବାକୁ କୋର୍ଟ ଅନୁମତି ଦେଇଥିଲେ।   

ମାର୍ଚ୍ଚ ୨୧ ତାରିଖରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି। ୯ଟି ସମନ୍ ପଠାଇବା ପରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି। ମାର୍ଚ୍ଚ ୨୨ ତାରିଖରେ ତାଙ୍କୁ କୋର୍ଟରେ ହାଜର କରି ରିମାଣ୍ଡରେ ନେଇଥିଲା ଇଡି। ୨୮ ତାରିଖରେ ରିମାଣ୍ଡ ଶେଷ ହେବା ପରେ ତାଙ୍କୁ କୋର୍ଟରେ ହାଜର କରି ପୁଣି ଥରେ ରିମାଣ୍ଡରେ ନେଇଥିଲା ଇଡି। ସେହି ରିମାଣ୍ଡ ଆଜି ଶେଷ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଇଡି ହେପାଜତରେ ରହି ସେ ଦିଲ୍ଲୀ ସରକାରକୁ ଚଲାଉଥିଲେ।   

ଆଜି ଶୁଣାଣି ବେଳେ ଇଡି ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌ଭି ରାଜୁ କୋର୍ଟଙ୍କୁ କହିଥିଲେ ଯେ ତଦନ୍ତକାରୀ ସଂସ୍ଥା ଆଉ ଅରବିନ୍ଦ କେଜ୍ରିୱାଲଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରି ନାହିଁ। କିନ୍ତୁ ଭବିଷ୍ୟତରେ ତାଙ୍କୁ ପୁଣି ଥରେ ରିମାଣ୍ଡରେ ନେଇପାରେ ଇଡି। 

ସେ କହିଥିଲେ, ଇଡି ହେପାଜତରେ ଥିବା ବେଳେ କେଜ୍ରିୱାଲ ଆଦୌ ସହଯୋଗ କରୁ ନଥିଲେ। ସେ କୌଣସି ପ୍ରଶ୍ନର ସିଧା ଉତ୍ତର ଦେଉ ନଥିଲେ। ଏହି ମାମଲାରେ ସେ ତଦନ୍ତକୁ ବାଟବଣା କରିବାକୁ ପ୍ରୟାସ କରୁଛନ୍ତି।

ଜେଲ୍‌ରେ ଅରବିନ୍ଦ କେଜ୍ରିୱାଲଙ୍କୁ ୩ଟି ପୁସ୍ତକ – ଭଗବଦ୍ ଗୀତା, ରାମାୟଣ ଓ ସାମ୍ବାଦିକ ନୀରଜା ଚୌଧୁରୀଙ୍କ ଦ୍ୱାରା ଲିଖିତ ‘How Prime Ministers Decide’ ପଢ଼ିବାକୁ ଅନୁମତି ଦେବାକୁ ତାଙ୍କ ଓକିଲ କୋର୍ଟରେ ଆବେଦନ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅସୁସ୍ଥ ରହୁଥିବାରୁ ଜେଲ୍‌ରେ ତାଙ୍କୁ ସ୍ୱତନ୍ତ୍ର ଖାଦ୍ୟ ଦେବାକୁ ତାଙ୍କ ଓକିଲ ଆବେଦନ କରିଛନ୍ତି। 

ଆଜି କୋର୍ଟ ପରିସରକୁ ପ୍ରବେଶ କଲା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଯାହା କରୁଛନ୍ତି, ତାହା ଠିକ୍ ନୁହେଁ। 

ad-week
Leave A Reply

Your email address will not be published.