କଂଗ୍ରେସର ଇସ୍ତାହାର ପାକିସ୍ତାନ ନିର୍ବାଚନ ପାଇଁ ଉପଯୁକ୍ତ: ଆସାମ ମୁଖ୍ୟମନ୍ତ୍ରୀ

add-all

କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ କଟାକ୍ଷ କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କରିଥିବା ଇସ୍ତାହାର ଭାରତ ଅପେକ୍ଷା ଅଧିକ ପାକିସ୍ତାନ ନିର୍ବାଚନ ପାଇଁ ଉପଯୁକ୍ତ ବୋଲି କହିଛନ୍ତି। କଂଗ୍ରେସ କ୍ଷମତାକୁ ଆସିବା ପରେ ଦେଶକୁ ବିଭାଜନ କରିବା ଉଦ୍ଦେଶ୍ୟରେ ଏହି ଇସ୍ତାହାର ଜାରି କରିଇଛି ବୋଲି ବିଶ୍ୱ ଶର୍ମା କହିଛନ୍ତି।  

ଶୁକ୍ରବାର କଂଗ୍ରେସ ଲୋକସଭା ନିର୍ବାଚନ ପାଇଁ ଇସ୍ତାହାର ଜାରି କରିଥିଲା, ଯେଉଁଥିଲେ ୫ଟି ‘ନ୍ୟାୟ ସ୍ତମ୍ଭ’ ଏବଂ ୨୫ଟି ଗ୍ୟାରେଣ୍ଟି ଦେଇଥିଲା। ଦଳ ଦ୍ୱାରା ଦିଆଯାଇଥିବା କେତେକ ପ୍ରତିଶ୍ରୁତି ମଧ୍ୟରୁ, ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି), ଦେଶବ୍ୟାପୀ ଜାତିଗତ ଜନଗଣନା ଏବଂ ଅଗ୍ନିପଥ ଯୋଜନା ଉଚ୍ଛେଦ ଭଳି ଆଇନଗତ ଗ୍ୟାରେଣ୍ଟି ଦେଇଛି।

କଂଗ୍ରେସର ଇସ୍ତାହାରକୁ ଆସାମ ମୁଖ୍ୟମନ୍ତ୍ରୀ ଟାର୍ଗେଟ କରି କହିଛନ୍ତି, ଏହା ତୁଷ୍ଟିକରଣ ରାଜନୀତି। କଂଗ୍ରେସର ମାନସିକତା ହେଉଛି ସମାଜକୁ ବିଭାଜନ କରି କ୍ଷମତାକୁ ଆସିବା। କୌଣସି ହିନ୍ଦୁ କିମ୍ବା ମୁସଲମାନ ତିନି ତଲାକ ଫେରୁ ବୋଲି ଚାହୁଁ ନାହାଁନ୍ତି। ବହୁବିବାହ କିମ୍ବା ବାଲ୍ୟ ବିବାହକୁ ମଧ୍ୟ ସମର୍ଥନ କରନ୍ତି ନାହିଁ। ଜୋରହଟ ନିର୍ବାଚନମଣ୍ଡଳୀରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ଅବସରରେ ଏପରି କହିଛନ୍ତି ହିମନ୍ତ ବିଶ୍ୱ ଶର୍ମା। 

ଅଭିଭାଦନ ଦେଇ ବିଶ୍ୱ ଶର୍ମା ଦୃଢୋକ୍ତି ପ୍ରକାଶ କରି କହିଛନ୍ତି, ରାଜ୍ୟରେ ବିଜେପି ସମସ୍ତ ୧୪ ଲୋକସଭା ଆସନ ଜିତିବ। ବିଜେପି ଏକ ଆନ୍ଦୋଳନର ରୂପ ନେଇଛି, ଯାହା ଦେଶକୁ ବିଶ୍ୱ ଗୁରୁ ରୂପେ ପରିଣତ କରିବ।  

୨୦୧୫ରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ହିମନ୍ତ ବିଶ୍ୱ ଶର୍ମାଙ୍କ ଏପରି ବୟାନ ବାଜି ଉପରେ ପ୍ରତିକ୍ରିୟା ରଖିଛି କଂଗ୍ରେସ। କଂଗ୍ରେସର ଆସାମ ମୁଖପାତ୍ର ବେଦବ୍ରତ ବୋରା କହିଛନ୍ତି, “ଶର୍ମା ଅନେକ ବର୍ଷ ଧରି କଂଗ୍ରେସରେ ଥିଲେ, କିନ୍ତୁ ସେ ଦଳର ମୁଖ୍ୟ ନୈତିକତା ବୁଝିପାରିଲେ ନାହିଁ। ସେଥିପାଇଁ ସେ ବିଜେପିକୁ ଯାଇଥିଲେ।”

କିଛି ସମୟ ଧରି ବିଜେପିରେ ରହିବା ପରେ ମଧ୍ୟ ସେ କଂଗ୍ରେସକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ସାଫ୍ରନ୍ ପାର୍ଟି ପ୍ରତି ତାଙ୍କର ବିଶ୍ୱସ୍ତତା ରହିଛି ବୋଲି ପ୍ରମାଣ କରିବା ପାଇଁ ସେ ଏପରି କରୁଛନ୍ତି। ହିମନ୍ତ ବିଶ୍ୱ ଶର୍ମା ଆଣିଥିବା ଅଭିଯୋଗ ମିଥ୍ୟା। ସମାଜର ସମସ୍ତ ବର୍ଗର ସ୍ୱାର୍ଥ ରକ୍ଷା କରିବାକୁ କଂଗ୍ରେସ ଇସ୍ତାହାର ପତ୍ର ଜାରି କରିଛି ବୋଲି ବୋରା କହିଛନ୍ତି।  

ପ୍ରକାଶ ଥାଉକି, ଆସାମରେ ୧୯ ଏପ୍ରିଲ, ୨୬ ଏପ୍ରିଲ ଏବଂ ମେ ୭ରେ ତିନୋଟି ପର୍ଯ୍ୟାୟରେ ଭୋଟ୍ ହେବ ଏବଂ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇବ। 

ad-week
Leave A Reply

Your email address will not be published.