ଭୁବନେଶ୍ବର ସମେତ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା

add-all

ଭୁବନେଶ୍ବର: ପ୍ରଚଣ୍ଡ ଖରା, ତତଲା ପବନ ଓ ଗୁଳୁଗୁଳିରୁ ରାଜ୍ୟବାସୀ ସାମାନ୍ୟ ଆଶ୍ବସ୍ତି ଲାଭ କରିଛନ୍ତି। ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି। ରାଜଧାନୀ ଭୁବନେଶ୍ବରରେ ମଧ୍ୟ ପ୍ରାୟ ୧ ଘଣ୍ଟା ଧରି ବଜ୍ରପାତ ସହିତ ହାଲୁକା ବର୍ଷା ହୋଇଛି। କାଳବୈଶାଖୀ ବର୍ଷା ଯୋଗୁଁ ଭୁବନେଶ୍ବରର ବହୁ ସ୍ଥାନରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି। ଆଗାମୀ ଦୁଇ ଦିନ ଯାଏଁ ବର୍ଷା ରାଜ୍ୟର କିଛି ସ୍ଥାନରେ ହେବାର ସମ୍ଭାବନା ଅଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଶ୍ରୀମତୀ ମହାନ୍ତି କହିଛନ୍ତି ଯେ, ଘଡ଼ଘଡ଼ି ସହିତ ବର୍ଷା ଓ  ପବନ ବହିବ। ଏପ୍ରିଲ ୮ ତାରିଖରେ ବର୍ଷାର ପରିମାଣ ବଢ଼ିବାର ଆଶଙ୍କା ରହୁଛି।

ଚଳିତ ମାସ ୫ ଓ ୬ ତାରିଖରେ ରାଜ୍ୟର ତାପମାତ୍ରା ୪୩. ୫ଡିଗ୍ରି ଛୁଇଁଥିଲା। ୫ ତାରିଖରେ ଭୁବନେଶ୍ବର ଓ ୬ ତାରିଖରେ ଅନୁଗୁଳବାସୀ ୪୩.୫ ଡିଗ୍ରିରେ ସିଝିଥିଲେ।  ସେହିପରି ୨୫ଟି ସହରରେ ପାରା ୪୦ ଡିଗ୍ରି ଅତିକ୍ରମ କରିଥିଲା। ଏହି ଅସହ୍ୟ ତାତି ଓ ଗୁଳୁଗୁଳି ‌ପରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୬ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ୟେଲୋ ୱାର୍ଣ୍ଣିଂ ଜାରି କରି ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି।

ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଏହି ୬ ଜିଲ୍ଲା ଗୁଡ଼ିକ ମଧ୍ୟରେ କୋରାପୁଟ, ରାୟଗଡ଼ା, କନ୍ଧମାଳ, କଟକ, ଗଞ୍ଜାମ ଏବଂ ନୟାଗଡ଼ ରହିଛି । ଆଗାମୀ ୩ ଘଣ୍ଟା ମଧ୍ୟରେ ଏହିସବୁ ଜିଲ୍ଲା ଗୁଡ଼ିକରେ ବର୍ଷା ସହ ବଜ୍ରପାତ ବିପଦ ଥିବା ପୂର୍ବାନୁମାନ କରାଯାଇଛି। ତେଣୁ ଏନେଇ ସଭିଏଁ ସତର୍କ ରୁହନ୍ତୁ ବୋଲି ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହା ପୂର୍ବରୁ ଗତକାଲି ରାତିରେ ଓ ଆଜି ପୂର୍ବାହ୍‌ଣରେ ପଶ୍ଚିମ ଓଡ଼ିଶାାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସହିତ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି।

ad-week
Leave A Reply

Your email address will not be published.