ଜେଲରେ କେଜ୍ରିୱାଲଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

Independence

ଅବାକରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ଭେଟିଛନ୍ତି ତାଙ୍କ ପଞ୍ଜାବ ପ୍ରତିପକ୍ଷ ଭଗୱନ୍ତ ସିଂହ ମାନ୍‌। ଉଭୟ ବେଶ କିଛି ସମୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

କେଜ୍ରିୱାଲଙ୍କୁ ଜେଲରେ ଭେଟି ବାହାରକୁ ଆସିବା ପରେ ମାନ ସାଂଘାତିକ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କୁ ଜେଲରେ ଭିତରେ ଜଣେ ଆତଙ୍କବାଦୀ ଭଳି ବ୍ୟବହାର କରାଯାଉଛି। ହାର୍ଡକୋର କ୍ରିମିନାଲ ଭଳି ତାଙ୍କୁ କୌଣସି ସୁବିଧା ସୁଯୋଗ ମିଳୁ ନାହଁ ବୋଲି ମାନ ଅଭିଯୋଗ କରିଛନ୍ତି।

ଚଳିତ ନିର୍ବାଚନରେ ଆପ୍‌ର ରାଜନୀତିକ ପ୍ରତିଦ୍ୱନ୍ଦ୍ୱୀ ବିଜେପିକୁ ମଧ୍ୟ ମାନ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ବିଜେପି ପ୍ରଥମ ଭୋଟ ପଡ଼ିବା ପୂର୍ବରୁ ସବୁ କିଛିକୁ ଦଳି ଦେବାକୁ ଚେଷ୍ଟା କରୁଛି। କିନ୍ତୁ ଯେତେବେଳେ ରେଜଲ୍ଟ (ଜୁନ ୪) ବାହାରିବ ସେତେବେଳେ ଆପ୍‌ ଗୋଟିଏ ବଡ଼ ରାଜନୀତିକ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହେବ ବୋଲି ସେ କହିଛନ୍ତି।

ତିହାର ଜେଲରେ କେଜ୍ରିୱାଲଙ୍କ ସହ ମାନ ୩୦ ମିନିଟ ଧରି କଥା ହୋଇଛନ୍ତି। କାଚ ଦ୍ୱାରା ଅଲଗା ହୋଇଥିବା ଦୁଇଟି ରୁମରେ କେଜ୍ରିୱାଲ ଓ ମାନ ବସିଥିଲେ। ଏହାପରେ ଫୋନରେ ଉଭୟ କଥା ହୋଇଥିଲେ।

ମାନ କହିଛନ୍ତି, “ମୁଁ ତାଙ୍କୁ ଦେଖି ବେଶ ଭାବବିହ୍ୱଳ ହୋଇଯାଇଥିଲି। ତାଙ୍କୁ ହାର୍ଡକୋର କ୍ରିମିନାଲ ଓ ଆତଙ୍କବାଦୀ ଭଳି ବ୍ୟବହାର କରାଯାଉଛି। ତାଙ୍କ ଭୁଲ କ’ଣ? ସେ ମହଲା କ୍ଲିନିକ ତିଆରି କରିଥିଲେ ବୋଲି ତାଙ୍କୁ ଏପରି ଦଣ୍ଡ ଦିଆଯାଉଛି କି?

ୱାନ ଟୁ ୱାନ ଭେଟିବାକୁ ଅନୁମତି ମିଳିଲା ନାହିଁ। କାଚ ଲଗାଇ ଓ ଫୋନରେ ଆଲୋଚନା କଲି। ହାର୍ଡକୋର କ୍ରିମିନାଲମାନଙ୍କୁ ମଧ୍ୟ ଏପରି ବ୍ୟବହାର କରାଯାଉ ନଥିବ। କ’ଣ ସେମାନେ ଦେଶର ଜଣେ ବଡ଼ ଆତଙ୍କବାଦୀକୁ ଧରିଛନ୍ତି କି?”

ଜେଲରେ ରହି କେଜ୍ରିୱାଲ ଦିଲ୍ଲାବାସୀଙ୍କ ପାଇଁ ଚିନ୍ତା କରୁଥିବାରୁ ମାନ ତାଙ୍କୁ ପ୍ରଶଂସା କରିଛନ୍ତି। ଆସନ୍ତା ସପ୍ତାହରେ କେଜ୍ରିୱାଲ ୨ ଜଣ ମନ୍ତ୍ରୀଙ୍କୁ ସରକାରୀ ନୀତି ସମ୍ପର୍କରେ ଆଲୋଚନା କରିବା ପାଇଁ ଜେଲକୁ ଡାକିବେ ବୋଲି ମାନ ସୂଚନା ଦେଇଛନ୍ତି।

ଏଥିସହ ସେ କହିଛନ୍ତି ଯେ କେଜ୍ରିୱାଲ ସଂଗଠନ କଥା ପଚାରି ବୁଝିଛନ୍ତି। ଇଣ୍ଡିଆ ମେଣ୍ଟ ଓ ଆପ୍‌ର ପ୍ରଚାର କରିବା ପାଇଁ ବିଭିନ୍ନ ସ୍ଥାନକୁ ଯିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଜାବରେ ଲୋକଙ୍କୁ ସବୁ ସୁବିଧା ମିଳୁଛି କି ନାହିଁ, ସେକଥା ମଧ୍ୟ କେଜ୍ରିୱାଲ ପଚାରି ବୁଝିଥିବା ମାନ ସୂଚିତ କରିଛନ୍ତି।

ad-week
Leave A Reply

Your email address will not be published.