
ଫୁଲବାଣୀ, ୧୭।୪ :ଫୁଲବାଣୀ ମଣ୍ଡଳ କାରାଗାରରେ ବିଚାରାଧୀନ ଥିବା ଜଣେ କଏଦୀର ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ମୃତ୍ୟୁ ଘଟିଛି । ଏ ନେଇ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପରିସରରେ ଉତ୍ତେଜନା ଦେଖାଦେବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜେଲ କର୍ତ୍ତୃପକ୍ଷ ମାଡ ମାରିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି ବୋଲି କହିବା ସହିତ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। କଏଦୀ ଜଣକ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡିମିରିଗୁଡା ଗ୍ରାମର ଅଭିରାମ ଦିଗାଲ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଅଭିରାମଙ୍କ ବିରୋଧରେ ଏକ ଗଞ୍ଜେଇ କାରବାର ମାମଲା ରହିଥିଲା। ତେବେ ସେ କୋର୍ଟ ସମନକୁ ବାରମ୍ବାର ଅମାନ୍ୟ କରିବାରୁ ତାଙ୍କ ନାମରେ ଓ୍ବାରେଣ୍ଟ ଜାରି ହୋଇଥିଲା । ଗତ ୧୫ ତାରିଖରେ ସେ ଅଦାଲତରେ ଆତ୍ମ ସମର୍ପଣ କରିବା ପରେ ତାଙ୍କୁ ବିଚାରାଧୀନ ହାଜତକୁ ପଠାଇ ଦିଆ ଯାଇଥିଲା। ମଙ୍ଗଳବାର ସେ ଅସୁସ୍ଥ ଥିବା ଯୋଗୁଁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଜେଲ କର୍ତ୍ତୃପକ୍ଷ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷରେ, ଅଭିରାମଙ୍କୁ ଜେଲ କର୍ତ୍ତୃପକ୍ଷ ମାଡ ମାରି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତକଙ୍କ ଭାଇ ମିଖାଏଲ ନାୟକ ଟାଉନ ଥାନାରେ ଏତଲା ଦେଇ ଘଟଣାର ତଦନ୍ତ ଦାବୀ କରିଛନ୍ତି। ମୃତ ଅଭିରାମଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଥିବାରୁ ଜେଲରେ ତାଙ୍କୁ ପ୍ରବଳ ମାଡ ଦିଆ ଯାଇଥିବା ଅଭିଯୋଗ କରିଛନ୍ତି ପରିବାର। ଆଜି ଏହି ଘଟଣାକୁ ନେଇ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପରିସରରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା । ଘଟଣାକୁ ନେଇ ଟାଉନ ଥାନାରେ ଏତଲା ହୋଇଥିବା ଏବଂ ଏତାଲା ଆଧାରରେ ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି ସଦର ଏସଡିପିଓ ସୁପ୍ରସନ୍ନ ମଲ୍ଲିକ।