ଆମେଠି ପରେ ୱାୟନାଡରେ ବି ହାରିବେ କଂଗ୍ରେସର ସାହବଜାଦେ: ମୋଦି

add-all

ମୁମ୍ବାଇ : ନିର୍ବାଚନ ପାଇଁ ପ୍ରଚାର କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଟାର୍ଗେଓ କରିଛନ୍ତି। ସେ ରାହୁଲ ଗାନ୍ଧିଙ୍କ ନାଁ ନ ନେଇ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସର ସାହବଜାଦେ କେରଳର ୱାୟନାଡରେ ମଧ୍ୟ ହାରିବେ। ଏହାପରେ ସେ ଆଉ ଏକ ସୁରକ୍ଷିତ ଆସନ ଖୋଜିବେ ବୋଲି ମୋଦି କହିଛନ୍ତି।
୨୦୧୯ରେ ରାହୁଲ ଆମେଠିରେ ହାରି ଯାଇଥିଲେ ହେଁ ୱାୟନାଡରୁ ବିଜୟୀ ହୋଇଥିଲେ। ଆମେଠି କଂଗ୍ରେସର ଗଡ଼ ଭାବେ ପରିଚିତ। ହେଲେ ୨୦୧୯ରେ ବିଜେପିର ସ୍ମୃତି ଇରାନୀଙ୍କ ଠାରୁ ରାହୁଲ ଗାନ୍ଧି ହାରିଥିଲେ। ତେଣୁ ଆଜି ମୋଦି ଏହାକୁ ପ୍ରସଙ୍ଗ କରି ରାହୁଲଙ୍କୁ ଟାର୍ଗେଟ କରିଛନ୍ତି। ମହାରାଷ୍ଟ୍ରର ନାନ୍ଦେଦ ଠାରେ ବିଜେପିର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ମୋଦି ଦାବି କରିଛନ୍ତି ଯେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରୁ ସଙ୍କେତ ମିଳିଛି ଯେ ଏନଡିଏ ସପକ୍ଷରେ ଏକ ତରଫା ଭୋଟିଂ ହୋଇଛି।
ରାହୁଲ ଗାନ୍ଧିଙ୍କୁ ଇଙ୍ଗିତ କରି ସେ କହିଛନ୍ତି, “ଆମେଠିରୁ ହାରିଥିବା କଂଗ୍ରେସର ସାହବଜାଦେ ୱାୟନାଡରେ ମଧ୍ୟ ପରାସ୍ତ ହେବେ। ଏପ୍ରିଲ ୨୬ ପରେ ସେ ଆଉ ଏକ ସୁରକ୍ଷିତ ଆସନ ଖୋଜିବା ଉଚିତ।”
ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ କଂଗ୍ରେସ ସରକାର କରିଥିବା ଖରାପ ନୀତିକୁ ୧୦ ବର୍ଷ ଧରି ତାଙ୍କ ସରକାର ସୁଧାରିଛନ୍ତି। ଅନେକ ଭଲ କାମ ହୋଇଛି। କଂଗ୍ରେସ ଚାଷୀ ଓ ଗରିବଙ୍କ ବିକାଶରେ ବାଧା ସୃଷ୍ଟି କରି ଚାଲିଛି। କୃଷି ଭିତ୍ତିକ ସଙ୍କଟ ଏବେ ହୋଇନି। ଏହା କଂଗ୍ରେସର ଟାଳୁଟୁଳ ନୀତି ଯୋଗୁ ହେଉଥିଲା ବୋଲି ମୋଦି କହିଛନ୍ତି।
ଇଣ୍ଡିଆ ବ୍ଲକୁ ଟାର୍ଗେଟ କରି ମୋଦି କହିଛନ୍ତି, “ବିରୋଧୀ ମେଣ୍ଟର କୌଣସି ଚେହେରା ନାହିଁ। ଦେଶର ଭବିଷ୍ୟତ ପାଇଁ ଲୋକମାନେ କାହା ଉପରେ ବିଶ୍ୱାସ କରିବେ ଜାଣି ପାରୁ ନାହାନ୍ତି।
ସେମାନେ ନିଜ ଇଚ୍ଛାରେ ସବୁ କିଛି ଦାବି କରିପାରିବେ। କିନ୍ତୁ ବାସ୍ତବ କଥା ହେଉଛି ଯେ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ କଂଗ୍ରେସ ନେତାମାନେ ନିଜର ପରାଜୟ ସ୍ୱୀକାର କରି ସାରିଛନ୍ତି।”
ଲୋକମାନଙ୍କୁ ଅଧିକ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରି ମୋଦି କହିଛନ୍ତି, “ଆପଣମାନେ ଭୋଟ ଦେଇ କୌଣସି ଦୟା କରୁ ନାହାନ୍ତି। ଆପଣମାନେ ଦେଶର ଭବିଷ୍ୟତକୁ ସୁରକ୍ଷିତ କରୁଛନ୍ତି। ମୁଁ ବିରୋଧୀ ଦଳଗୁଡ଼ିକର ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବାକୁ ଚାହେଁ। ଆପଣମାନେ(ବିରୋଧୀ ନେତା) ନିଶ୍ଚିତ ନିର୍ବାଚନ ଏଥର ହାରିବେ। କିନ୍ତୁ କେବେ ବି ଆପଣଙ୍କୁ ସୁଯୋଗ ମିଳିପାରେ। ତେଣୁ ଆପଣମାନେ ଭୋଟରଙ୍କୁ ଭୋଟ ଦେବାକୁ ନିବେଦନ କରନ୍ତୁ।
ବିରୋଧୀ ମେଣ୍ଟରେ ଥିବା ଦଳଗୁଡ଼ିକ ୨୫% ଆସନରେ ପରସ୍ପର ବିରୋଧରେ ଲଢ଼ୁଛନ୍ତି। ନିର୍ବାଚନ ରେଜଲ୍ଟ ଅର୍ଥାତ ଜୁନ ୪ ପରେ ସେମାନେ ପରସ୍ପର ସହ ଆହୁରି ଲଢ଼ିବେ।”

ad-week
Leave A Reply

Your email address will not be published.