ବିଜେପିରେ ମିଶିଲେ ବିଧାୟିକା ସୀମାରାଣୀ ନାୟକ

add-all

ଭୁବନେଶ୍ବର: ଗତକାଲି ବିଜେଡି କାଟିଥିଲା ଟିକେଟ। ଆଜି ବିଜେପିରେ ଯୋଗ ଦେଲେ ବିଧାୟିକା ସୀମାରାଣୀ ନାୟକ। ଲଗାତାର ଦୁଇ ଥର ହିନ୍ଦୋଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ସୀମାରାଣୀଙ୍କୁ ଏଥର ଟିକେଟ ଦେଇନି ବିଜେଡି। ତାଙ୍କ ବଦଳରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ହିନ୍ଦୋଳରୁ ପ୍ରାର୍ଥୀ କରିଛି ଦଳ। ଏଥିରେ କ୍ଷୁବ୍ଧ ହୋଇ ବିଜେଡି ଛାଡ଼ି ଆଜି ବିଜେପିରେ ମିଶିଛନ୍ତି ବିଧାୟିକା ସୀମାରାଣୀ ନାୟକ।  

ବିଜେପି ସୀମାରାଣୀଙ୍କୁ ହିନ୍ଦୋଳରୁ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି। ବିଜେଡି ଓ କଂଗ୍ରେସ ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ ବି ବିଜେପି କରି ନାହିଁ। ତେଣୁ ଦଳ ସୀମାରାଣୀଙ୍କୁ ଟିକେଟ ଦେବାର ଅଧିକ ସମ୍ଭାବନା ଥିବା କୁହାଯାଉଛି। 

ଟିକେଟ କଟିବା ପରେ ଏକ ପ୍ରକାର ଭାଙ୍ଗି ପଡ଼ିଥିଲେ ସୀମାରାଣୀ ନାୟକ। ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ପରେ ତାଙ୍କ ଆଖି ଏକ ପ୍ରକାର ଛଳ ଛଳ ହୋଇଯାଇଥିଲା। ସେ କହିଥିଲେ- ମୁଁ ଦୁଇ ଦୁଇ ଥରର ବିଧାୟିକା ହୋଇ ବି ମୋ’ ପାଖରେ ଟଙ୍କା ନାହିଁ। ମୁଁ ଦଳ ପାଇଁ ବହୁତ କାମ କରିଛି । ହେଲେ ଦଳ ମୋତେ ଅଣଦେଖା କଲା। କିଛି ମୁଷ୍ଟିମେୟ ଲୋକଙ୍କ ରିପୋର୍ଟ ଆଧାରରେ ମୋ’ ଟିକେଟ କାଟି ଦେଇଛନ୍ତି । ମୋ’ ରିପୋର୍ଟ ଭଲ ନାହିଁ ବୋଲି ଯଦି ଜାଣିଲେ ମୋତେ ଅବଗତ କରିବା କଥା। ହେଲେ ମୋତେ ଅଣଦେଖା କରି ଅନ୍ୟ ଜଣଙ୍କୁ ଟିକେଟ ଦେଲେ। ମୁଁ ଜଣେ ଅନୁସୂଚିତ ଜାତି ଓ ମଧ୍ୟବିତ ପରିବାରର ଲୋକେ। କମ୍ପାନୀ, ଖଣି, ମୁଷ୍ଟିମେୟ ଲୋକଙ୍କ ହାତରେ ପଇସା। ଯାହା ହାତରେ ପଇସା ତା’ ହାତରେ କ୍ଷମତା। ହେଲେ ମୁଁ ତୃଣମୂଳ ସ୍ତରରୁ ଆସିଛି ବୋଲି କୋହଭରା କଣ୍ଠରେ କହିଥିଲେ ସୀମାରାଣୀ।

ସୂଚନାଯୋଗ୍ୟ, ୨୦୧୪ ଓ ୨୦୧୯ ନିର୍ବାଚନରେ ସୀମାରାଣୀ ନାୟକ ହିନ୍ଦୋଳରୁ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। 

ad-week
Leave A Reply

Your email address will not be published.