ଏଥର ଜାତୀୟ ସୁରକ୍ଷାକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ମୋଦି

add-all

ନୂଆଦିଲ୍ଲୀ : ପୂର୍ବରୁ କଂଗ୍ରେସକୁ ସଂରକ୍ଷଣ, ଦୁର୍ନୀତି ଓ ନିର୍ବାଚନୀ ଇସ୍ତାହାର ଭଳି ପ୍ରସଙ୍ଗରେ ସମାଲୋଚନା କରୁଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି ଜାତୀୟ ସୁରକ୍ଷାକୁ ମୂଳ ଅସ୍ତ୍ର କରିଛନ୍ତି।
ଜାତୀୟ ସୁରକ୍ଷାକୁ ପ୍ରସଙ୍ଗ କରି ସେ କଂଗ୍ରେସ ଉପରେ ବର୍ଷିଛନ୍ତି। କଂଗ୍ରେସରୁ ସେ ଭୀରୁ କହିବା ସହ ଦେଶରେ ଆତଙ୍କବାଦୀ ହମଲା ପରେ ପୂର୍ବରୁ ଥିବା ସରକାର କେବଳ ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ କାନ୍ଦୁ ଥିଲେ ବୋଲି ମୋଦି ଅଭିଯୋଗ କରିଛନ୍ତି।
ଲୋକସଭା ନିର୍ବାଚନ ପାଇଁ ଝାରଖଣ୍ଡର ପାଲାମୁ ଠାରେ ଆୟୋଜିତ ରାଲିକୁ ସମ୍ବୋଧନ କରି ମୋଦି କହିଛନ୍ତି ଯେ ବିଜେପି ଶାସନ ସମୟରେ ପୂର୍ବରୁ ଦେଶରେ ଥିବା ପରିସ୍ଥିତି ବଦଳିଛି। ଏବେ ପାକିସ୍ତାନ ସାହାଯ୍ୟ ପାଇଁ କାନ୍ଦୁଛି ଓ ନେହୁରା ହେଉଛି।
ସେ କହିଛନ୍ତି, “ପୂର୍ବରୁ ଆତଙ୍କବାଦୀ ହମଲା ପରେ କଂଗ୍ରେସର ଭୀରୁ ବା କାପୁରୁଷ ସରକାର କେବଳ ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ କାନ୍ଦୁ ଥିଲା। ଏବେ କିନ୍ତୁ ପାକିସ୍ତାନ ସାହାଯ୍ୟ ପାଇଁ କାନ୍ଦୁଛି ଓ ଚିତ୍କାର କରୁଛି। ପୂର୍ବରୁ କଂଗ୍ରେସ ସରକାର ଶାନ୍ତି ପ୍ରତିଷ୍ଠା ଆଶାରେ ପାକିସ୍ତାନକୁ ପ୍ରେମ ପତ୍ର ପଠାଉଥିଲେ। କିନ୍ତୁ ଏହାର ଜବାବରେ ପଡ଼ୋଶୀ ଦେଶ ଆହୁରି ଅଧିକ ଆତଙ୍କବାଦୀ ଭାରତକୁ ପଠାଉଥିଲା।
ଆଜିର ଭାରତ କୌଣସି ଦସ୍ତାବିଜ ଦେଉ ନାହିଁ। ଏହା ନୂଆ ଭାରତ। ଏହି ଭାରତ ଘରେ ପଶି ମାରିଥାଏ। ପୂର୍ବରୁ ଗୋଟିଏ ସମୟ ଥିଲା ବିହାର ଓ ଝାରଖଣ୍ଡର ପିଲାମାନେ ସୀମାରେ ଦେଶର ସୁରକ୍ଷା କରି ପ୍ରାଣ ହରାଉଥିଲେ। ହେଲେ ସ୍ଥିତି ବଦଳି ଯାଇଛି। ”
ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସର୍ଜିକାଲ ଷ୍ଟ୍ରାଇକରେ ଦୋହଲି ଯାଇଥିବା ପାକିସ୍ତାନର ନେତାମାନେ ଏବେ ଶେହଜାଦା କେମିତି ପ୍ରଧାନମନ୍ତ୍ରୀ ହୁଅନ୍ତୁ, ସେନେଇ ପ୍ରାର୍ଥନା କରୁଛନ୍ତି। କିନ୍ତୁ ଶକ୍ତ ଭାରତ ଗୋଟିଏ ଶକ୍ତିଶାଳୀ ସରକାର ଚାହୁଁଛି।
ଝାରଖଣ୍ଡରେ କ୍ଷମତାସୀନ ଜେଏମଏମ ଓ କଂଗ୍ରେସ ସରକାରକୁ ସମାଲୋଚନାର କରି ମୋଦି କହିଛନ୍ତି, “ମୁଁ ଗୋଟିଏ ଘର କିମ୍ବା ବାଇସାଇକେଲର ମାଲିକ ନୁହେଁ। ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ୨୫ ବର୍ଷ ରହିଥିଲେ ମଧ୍ୟ ମୋ ଦେହରେ ଗୋଟିଏ ବି ଦୁର୍ନୀତିର ଛିଟା ଲାଗି ନାହିଁ। ହେଲେ କଂଗ୍ରେସ ଓ ଜେଏମଏମ ସରକାର ନିଜ ପିଲାମାନଙ୍କ ପାଇଁ ବିପୁଳ ପରିମାଣର ସମ୍ପତ୍ତି ଠୁଳ କରିବାରେ ଲାଗିଛନ୍ତି।”

ad-week
Leave A Reply

Your email address will not be published.