୨ ଦିନ ହେଲା ନିଖୋଜ ଥିଲେ, ଆଜି ମିଳିଲା କଂଗ୍ରେସ ନେତାଙ୍କ ଦଗ୍ଧ ମୃତଦେହ

add-all

ଚେନ୍ନାଇ : ତାମିଲନାଡୁ କଂଗ୍ରେସର ଜଣେ ଟାଣୁଆ ନେତାଙ୍କ ଦଗ୍ଧ ମୃତଦେହ ଆଜି ମିଳିଛି। ସେ ଦୁଇ ଦିନ ହେଲା ନିଖୋଜ ଥିବା ବେଳେ ଆଜି ତାଙ୍କ ମାଲିକାନାରେ ଥିବା ଗୋଟିଏ ଜମିରୁ ମୃତଦେହ ମିଳିଛି। ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା, ସେକଥା ଜଣାପଡ଼ିନି। ପୁଲିସ୍‌ ଘଟଣା ଉପରୁ ପରଦା ହଟାଇବା ପାଇଁ ୩ଟି ସ୍ୱତନ୍ତ୍ର ଟିମ ଗଠନ କରିଛି।
ତିରୁନେଲଭେଲିରୁ ମୃତଦେହ ମିଳିଥିବା କଂଗ୍ରେସ ନେତା ଜଣଙ୍କ ହେଉଛନ୍ତି କେପିକେ ଜୟକୁମାର। ସେ ତିରୁନେଲଭେଲିର ପୂର୍ବ ଜିଲ୍ଲାର କଂଗ୍ରେସ ସଭାପତି ଭାବେ କାର୍ଯ୍ୟ କରୁଥିଲେ। ପୁଲିସ୍‌ କହିଛି ଯେ ଜୟକୁମାର ଗୁରୁବାର ଠାରୁ ନିଖୋଜ ଥିଲେ। ଶୁକ୍ରବାର ଏନେଇ ତାଙ୍କ ପୁଅ ପୁଲିସ୍‌ରେ ଅଭିଯୋଗ କରିଥିଲେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜୟକୁମାରଙ୍କ ଦଗ୍ଧ ମୃତଦେହ ନିକଟରୁ ଗୋଟିଏ ହାତ ଲେଖା ଚିଠି ମିଳିଛି। ତେବେ ଏହାକୁ ସେ ଲେଖିଛନ୍ତି ନା ଆଉ କେହି ସେକଥା ସ୍ପଷ୍ଟ ହୋଇନି। ସେହିପରି ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାହା ମଧ୍ୟ ପୁଲିସ୍‌ ସ୍ପଷ୍ଟ କରିନି। ଯଦି ତାଙ୍କ ମୃତଦେହ ନିକଟରୁ ମିଳିଥିବା ଚିଠି ଜୟ କୁମାର ଲେଖିଛନ୍ତି, ତା’ହେଲେ ତାଙ୍କୁ ଅନେକ ଉଚ୍ଚ ପଦସ୍ଥ ବ୍ୟକ୍ତିବିଶେଷ ଧମକ ଦେଉଥିଲେ ଓ ତାଙ୍କ ଠାରୁ ଟଙ୍କା ଠକି ନେଇଥିଲେ ବୋଲି ସ୍ପଷ୍ଟ ହୋଇଯିବ। କାରଣ ଉକ୍ତ ଚିଠିରେ ଅନେକ ବଡ଼ବଡ଼ିଆଙ୍କ ନାଁ ରହିଛି। ଏସ୍‌ପି ଏନ ସିଲାମବରସନ କହିଛନ୍ତି, ସବୁ ଦିଗରୁ ଘଟଣାର ତଦନ୍ତ କରିବାକୁ ୩ଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି।

ad-week
Leave A Reply

Your email address will not be published.