ହିଞ୍ଜିଳିକାଟୁ : ବୁଧବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ବୁରୁପୋଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘର ବାରଣ୍ଡାରେ ଖେଳୁଥିବା ବେଳେ ଭୁଯୋଜନ (ଏର୍ଥୀ°) ତାର ସଂସ୍ପର୍ଶରେ ଆସି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ବୁରୁପୋଡା କାଳୀ ମନ୍ଦିର ସାହି ବାସିନ୍ଦା ବଳରାମ ମଳିକଙ୍କ ନାବାଳକ ପୁତ୍ର ରବି ନାରାୟଣ ମଳିକ (୬) । ପ୍ରକାଶ ଯେ ନାବାଳକ ଜଣଙ୍କ ଘର ବାରଣ୍ଡାରେ ସାଥି ପିଲାଙ୍କ ସହ ଖେଳୁଥିବା ବେଳେ ପଡୋଶୀ ଘର ବାରଣ୍ଡାରେ ରହିଥିବା ଭୁଯୋଜନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତ ପୋଡି ଯାଇଥିଲା। ଶିଶୁର ଚିତ୍କାର ଶୁଣି ପରିବାର ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ସମୟରେ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ନାବାଳକଙ୍କ ମୃତଦେହକୁ ଘରକୁ ନେବା ପାଇଁ ଉଦ୍ୟମ କରୁଥିବାବେଳେ ଡାକ୍ତରଖାନା କର୍ମଚାରୀ ମାନେ ଏହାର ପ୍ରତିବାଦ କରିଥିଲେ। ଫଳରେ କିଛି ସମୟ ପାଇଁ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ହିଞ୍ଜିଳି ପୁଲିସ ଚିକିତ୍ସାଳୟରେ ପହଞ୍ଚି ମୃତଦେହକୁ ଜବତ କରିଛି। ଏ ନେଇ ହିଞ୍ଜିଳି ଥାନାରେ କେସ ନଂ – ୧୪/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଗୁରୁବାର ସକାଳେ ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
