ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା, ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଆଜି ସ୍ୱତନ୍ତ୍ର ପୂଜାର୍ଚ୍ଚନାସହ ରଥକାଠ ଅନୁକୂଳ

add-all

ବ୍ରହ୍ମପୁର : ବ୍ରହ୍ମପୁର ବୈଶାଖ ଶୁକ୍ଳ ତୃତୀୟା ଦିନକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ । ଏହି ଦିନକୁ ଔପଚାରିକ ଭାବେ କୃଷକ ଦିବସ ଭାବେ ମଧ୍ୟ ଜଣାଯାଏ । କାରଣ କୃଷକ ଏହି ଦିନର ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ ଦେଇଥାଏ । ଚାଷୀ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ। ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ । ଏହାକୁ ଅକ୍ଷିମୁଠି ବୋଲି କୁହାଯାଏ । କେବଳ ସେତିକି ନୁହେଁ ଏହି ଦିନ ଅତ୍ୟନ୍ତ ଶୁଭ ହୋଇ ଥିବାରୁ ଗୃହନିର୍ମାଣ, ନିର୍ବନ୍ଧ, ବିବାହ ଆଦି ଶୁଭକାର୍ଯ୍ୟ ଅନୁଷ୍ଠିତ ହୁଏ ।ଆଜି ଦିନ ରଥନିର୍ମାଣର ଶୁଭାନୁକୂଳ ହୋଇଥାଏ । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଉଦ୍ଦିଷ୍ଟ ଗୋଟିଏ ଧଉରା କାଠ ଗଣ୍ଡିରେ କୁରାଢି ସ୍ପର୍ଶ କରାଯାଇଥାଏ । ସେଥିଲାଗି ଆଜି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଥାଏ। ଆଜି ବ୍ରହ୍ମପୁର ସହରରେ ରହିଥିବା ସମସ୍ତ ଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ସହିତ ରଥ କାଠ ଅନୁକୂଳ ହୋଇଥିଲା।

ad-week
Leave A Reply

Your email address will not be published.