ଚୋରା ମାଦକ ଦ୍ରବ୍ୟ କାରବାରକୁ ନେଇ ଅସନ୍ତୋଷ

add-all

ହିଞ୍ଜିଳିକାଟୁ, ୧୮ା୫ : ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ଚୋରା ମାଦକ ଦ୍ରବ୍ୟ ଓ ଲାଇସେନ୍ସ ପ୍ରାପ୍ତ ମଦ କାଉଣ୍ଟର ଗୁଡ଼ିକରେ ମଦ ବିକ୍ରି ସେତିକି ପରିମାଣରେ ବୃଦ୍ଧି ପାଉଛି । ସ୍ଥାନୀୟ ଅବକାରୀ ବିଭାଗୀୟ କାର୍ଯ୍ୟାଳୟ ବହୁ ସମୟରେ ବନ୍ଦ ରହୁଥିବାରୂୁ ଏବଂ ଖୋଲା ରହୁଥିବା ସମୟରେ ବିଭାଗୀୟ ଅଧିକାରୀ ମାନଙ୍କ କାର୍ଯ୍ୟାଳୟରେ ଦେଖା ମିଳୁନଥିବାରୁ ସ୍ଥାନୀୟ ଅଞ୍ଚଳରେ ଚୋରା କାରବାରେ ପ୍ରତ୍ୟହ ବୃଦ୍ଧି ପାଇବା ସାଙ୍ଗକୁ ନିର୍ବାଚନ ସମୟରେ ମଦୁଆଙ୍କୁ ଆୟତ କରିବା କଠିନ ହୋଇପଡ଼ିବ ବୋଲି ସ୍ଥାନୀୟ ପୋଲିସ ଆଶେଙ୍କା ପ୍ରକାଶ କରିଛି । ଲାଇସେନ୍ସପ୍ରାପ୍ତ ମଦ ଦୋକାନ ଗୁଡ଼ିକରେ ନିର୍ଦ୍ଧାରିତ ମୁଲ୍ୟ ଠାରୁ ବିୟର ପିଛା ୧୦ ଟଙ୍କା, ୧୮୦ ମି.ଲି. ବିଶିଷ୍ଟ ହୁଇସ୍କ ଓ ରମ୍‌ରେ ୧୦ ଟଙ୍କା ଅଧିକ ବିକାଯାଉଥିବା ବେଳେ ହୁଇସ୍କ ଓ ରମ୍‌ର ବଡ଼ ବୋତଲ ଗୁଡ଼ିକରେ ୪୦ ରୁ ୫୦ ଯଙ୍କା ଅଧିକ ନିଆଯାଉଥିବା ନେଇ ଜଣାପଡ଼ିଛି । ମଦ କିଣୁଥିବା ସମୟରେ ନିର୍ଦ୍ଧାରିତ ମୁଲ୍ୟ ଠାରୁ ଅଧିକ ଟଙ୍କାରେ ବିକ୍ରି କରାଯାଉଥିବାରୁ ବହୁ ସମୟରେ ଗ୍ରାହକ ଓ କାଉଣ୍ଟରରେ ଥିବା ସେଲସ୍‌ମ୍ୟାନଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହ ବାକ୍ ବିତଣ୍ଡା ହୋଇଥିବାର ଦୁଷ୍ଟାନ୍ତ ରହିଛି । ଗ୍ରାହକ ଅସନ୍ତୋଷ ନେଇ ସ୍ଥାନୀୟ ଅବକାରୀ ବିଭାଗ ଅଧିକାରୀ ମାନେ ଆଖିବୁଜି ଦେଇଥିବା ବେଳେ ମାସିକ/ ସାପ୍ତାହିକ ଚେକିଂ ନହେବା ଦ୍ୱାରା ପରିସ୍ଥିତ ଅଣାୟତ ହୋଇପଡ଼ିଛି । ଗତ କିଛି ଦିନ ପୂର୍ବେ ହିଞ୍ଜିଳି ପୋଲିସ ପ୍ରଶାସନ ପକ୍ଷରୁ ନିର୍ବାଚନକୁ ଆକି ଆଗରେ ରଖି ମଦ ଧରପଗଡ଼ ଅଭିଯାନ ଆରମ୍ଭ କରାଯାଇ ବହୁ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଥିଲା । ଫଳରେ କିଛି ଦିନ ପାଇଁ ଢାବା ଓ ହୋଟେଲ ଏବଂ ପାନ ଦୋକାନ ସମେତ ଅନ୍ୟାନ ଦୋକାନ ଗୁଡ଼ିକରେ ଚୋରାରେ ବିକ୍ରି ବନ୍ଦ ହୋଇଯାଇଥିଲା । ଢାବା ଓ ହୋଟେଲ ଗୁଡ଼ିକରେ ମଦ ବିକ୍ରି ନକଲେ ବ୍ୟବସାୟ ଆଶାନୁରୁପ ହେଉନଥିବା ନେଇ କିଛି ହୋଟେଲ ଓ ଢାବା ମାଲିକ କହିଛନ୍ତି । ହୋଟେଲ ଓ ଢାବା ଗୁଡ଼ିକରେ ମଦ ବିକ୍ରି କରାଯିବା ଜଣାପଡ଼ିବା ପରେ ପୋଲିସ ପ୍ରଶାସନ ପକ୍ଷରୁ ଧରପଗଡ଼ କରାଯାଇ ସଂପୃକ୍ତ ବ୍ୟକ୍ତିଙ୍କୁ ଜେଲ ପଠାଯିବା ପରେ ସଂପୃକ୍ତ ହୋଟେଲ ଓ ଢାବା ମାଲିକ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । କିଛି ଦିନର ନିରବତା ପରେ ହୋଟେଲ ଓ ଢାବା ମାଲିକ ମାନେ ମଦ ବିକ୍ରି କରିବାର ନୂଆଁ କୌଶଳ ଆପଣେଇବା ଥିବା ଦେଖିବାକୁ ମିଳୁଛି । ଢାବା ଓ ହୋଟେଲ ଗୁଡ଼ିକରେ ଅଧିକ ପରିମାଣରେ ମଦ ମହଜୁଦ ନରଖି ଲାଇସେନ୍ସ ପ୍ରାପ୍ତ କାଉଣ୍ଟରରୁ କମ୍ ପରିମାଣରେ ମଦ ଆଣି ହୋଟେଲ ଓ ଢାବା ପଛପଟେ ମାଟିଖୋଳି କୁଣ୍ଡ ତିଆରି କରି ମଦକୁ ଲୁଚାଇ ରଖୁଥିବାର ଦେଖିବାକୁ ମିଳୁଛି । ଗ୍ରାହକ ଆସିଲେ ହୋଟେଲ ଓ ଢାବା ଗୁଡ଼ିକରେ ଥିବା କୋମଳମତି ଶିଶୁ ଶ୍ରମିକ ମାନଙ୍କ ଦ୍ୱାରା ସଂପୃକ୍ତ ସ୍ଥାନରୁ ଆଣି ଗ୍ରାହକଙ୍କୁ ଯୋଗାଇ ଦିଆଯାଉଛି । ହୋଟେଲ ଓ ଢାବା ମଧ୍ୟରେ ମଦ ଦିଆନଯାଇ ହୋଟେଲ ଓ ଢାବାର ପଛପଟେ ଗ୍ରାହକଙ୍କୁ ମଦ ଯୋଗାଇ ଦିଆଯାଉଛି । ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଦୃଷ୍ଟି ଦେଇ ଚୋରାରେ ମଦ ବିକ୍ରି କରୁଥିବା ବ୍ୟବସାୟୀଙ୍କ ପ୍ରତି ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।

ad-week
Leave A Reply

Your email address will not be published.