ପାଣି ପାଇଁ ରାସ୍ତା ଉପରେ ବସିଲେ ଗ୍ରାମବାସୀ

add-all

କରଞ୍ଜିଆ : ପିଇବା ପାଣି ପାଇଁ ଡହଳ ବିକଳ ଲୋକେ। ବାରମ୍ବାର ଅଭିଯୋଗ କରିବା ପରେ ପ୍ରଶାସନ ନଶୁଣିବାରୁ ରାସ୍ତା ଅବରୋଧ କଲେ ଗାଁର ଶତାଧିକ ମହିଳା ଓ ପୁରୁଷ । ମୟୂରଭଞ୍ଜ ଜିଲ୍ଳା କରଞ୍ଜିଆ ଥାନା ଅନ୍ତର୍ଗତ କେଉଁଝରା ଗାଁରେ ଆଜି ଦେଖିବାକୁ ମିଳିଛି ଏହି ଦୃଶ୍ୟ।
କେଉଁଝରା ଗାଁରେ ଲୋକମାନେ ଦୀର୍ଘଦିନ ହେବ ଜଳ ସଙ୍କଟ ଦେଇ ଗତି କରୁଛନ୍ତି। ଗାଁ ଲୋକମାନେ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିବା ପରେ କିଛି ଦିନ ପୂର୍ବରୁ ଏକ ପାଣିଟାଙ୍କି ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା। ପାଣିଟାଙ୍କି ହୋଇଗଲା, ହେଲେ ତାହା କାର୍ଯ୍ୟକାରୀ ହୋଇନାହିଁ। ସେଥିପାଇଁ କେଉଁଝରା ଗାଁର ଶତାଧିକ ମହିଳା ଓ ପୁରୁଷ ହାତରେ ବାଲଟି ଓ ଗରା ଧରି ଆଜି ୫୩ ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଥିଲେ। ତୁରନ୍ତ ପାଣି ଯୋଗାଇ ନଦେଲେ ରାସ୍ତାରୁ ହଟିବେ ନାହିଁ ବୋଲି ସେମାନେ କହିଥିଲେ।
ଗାଁର ଲୋକମାନେ କିଛି ଦିନ ପୂର୍ବରୁ ପ୍ରଶାସନକୁ ଲିଖିତ ଅଭିଯୋଗ କରି ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ହେଲେ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟ ନ ହେବାରୁ ବାଧ୍ୟ ହୋଇ ରାସ୍ତା ଅବରୋଧ କରିଥିଲେ। ଦୀର୍ଘ ସମୟ ଧରି ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତାକୁ ଅବରୋଧ କରିଥିଲେ ଗ୍ରାମବାସୀ। ଯାହା ଦ୍ୱାରା ଭୁବନେଶ୍ୱର,ଉଦଳା ଓ ଠାକୁରମୁଣ୍ଡା ଯାଉଥିବା ଯାତ୍ରୀବାହୀ ବସଠାରୁ ଆରମ୍ଭ କରି ବହୁ ଗାଡ଼ି ଅଟକି ରହିଥିଲା। ଖବର ପାଇ କରଞ୍ଜିଆ ଥାନା ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ବି ଗାଁ ଲୋକମାନେ ଜଦ୍‌ରେ ଅଟଳ ରହିଥିଲେ। ପରେ ବିଡିଓ ପହଞ୍ଚି ଲୋକମାନଙ୍କର ସମସ୍ୟା ବୁଝି ଶୀଘ୍ର ସମାଧାନ କରାଯିବର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

ad-week
Leave A Reply

Your email address will not be published.