ମନୀଷ ସିସୋଦିଆଙ୍କ ହାଜତ ଅବଧି ୩୧ ଯାଏ ବଢ଼ିଲା

add-all

ନୂଆଦିଲ୍ଲୀ : ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ୍‌ ନେତା ମନୀଷ ସିସୋଦିଆଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳି ନାହିଁ। ଆଜି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ତାଙ୍କ ହାଜତ ଅବଧିକୁ ପୁଣି ବୃଦ୍ଧି କରିଛନ୍ତି। ଏବେ ସେ ମେ’ ୩୧ ଯାଏ ଜେଲ ହାଜତରେ ରହିବେ। ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଗତବର୍ଷ ଫେବୃଆରୀ ମାସରେ ସିସୋଦିଆଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି। ସେ ବାରମ୍ବାର ଜାମିନ ଆବେଦନ କରୁଥିଲେ ହେଁ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଏବେ ସେ ପୁଣି ୩୧ ଯାଏ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି।
ଚଳିତ ବର୍ଷ ମାର୍ଚ୍ଚ ୨୧ରେ ଇଡି ଆପ୍‌ ବସ୍‌ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଗିରଫ କରିଥିଲା। ସେ ୫୦ ଦିନ ପରେ ଚଳିତ ମାସ ୧୦ ତାରିଖରେ ଜାମିନରେ ମୁକୁଳିଛନ୍ତି। ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କୁ ସୁପ୍ରିମକୋର୍ଟ ଜୁନ ୧ ଯାଏ ଅନ୍ତରୀଣ ଜାମିନ ଦେଇଛନ୍ତି। ଜୁନ ୨ରେ ସେ ପୁଣି ଜେଲକୁ ଫେରିବେ।
ଅନ୍ୟପକ୍ଷରେ ସିସୋଦିଆ ଜେଲରୁ ଖଲାସ ହେବାକୁ ଦିଲ୍ଲୀ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି। ମନି ଲଣ୍ଡରିଂ କେସ୍‌ ଓ ଦୁର୍ନୀତି ମାମଲାରେ ସେ ଜାମିନ ପାଇଁ ଅନୁରୋଧ କରିଛନ୍ତି। ହାଇକୋର୍ଟ ବିଚାରପତି ଜଷ୍ଟିସ ସ୍ୱର୍ଣ୍ଣ କାନ୍ତା ଶର୍ମା ଆଜି ୫ଟା ବେଳେ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ରାୟ ପ୍ରକାଶ କରିପାରନ୍ତି।
ମେ’ ୧୪ରେ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ସବୁ ପକ୍ଷଙ୍କ ଯୁକ୍ତି ଶୁଣିଥିଲେ। ଏହାପରେ ରାୟକୁ ସଂରକ୍ଷିତ ରଖାଯାଇଥିଲା।

ad-week
Leave A Reply

Your email address will not be published.