ରାମ ମନ୍ଦିରକୁ ମୋବାଇଲ୍‌ ମନା, ଲାଗୁ ହେଲା କଡ଼ା ନିୟମ

add-all

ଅଯୋଧ୍ୟାରେ ଥିବା ରାମ ମନ୍ଦିରକୁ ଏବେ ମୋବାଇଲ୍‌ ମନା। ଏହି ମନ୍ଦିର ପରିସରକୁ ଏବେ ମୋବାଇଲ୍‌ ଫୋନ୍‌ ନେବା ନିଷେଧ କରାଯାଇଛି। ସାଧାରଣ ଲୋକଙ୍କ ହୁଅନ୍ତୁ ଅବା ଭିଆଇପି ସମସ୍ତଙ୍କୁ ମନ୍ଦିର ପରିବରରେ ମୋବାଇଲ୍‌ ବ୍ୟବହାର କରିବାକୁ ଉପରେ ବାରଣ କରାଯାଇଛି। ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବସିଥିବା ବୈଠକରେ ଶନିବାର ଏହି ନିଷ୍ପତ୍ତି ନିଆଯାଇଛି।

ପୂର୍ବରୁ ସାଧାରଣ ଜନତାଙ୍କୁ ମନ୍ଦିର ପରିସରକୁ ମୋବାଇଲ ନେବା ମନା ହୋଇଥିଲା। ଏବେ କିନ୍ତୁ ଭିଆଇପି ଓ ଭିଭିଆଇପିଙ୍କୁ ମଧ୍ୟ ବାରଣ କରାଯାଇଛି। ଶନିବାର ଠାରୁ ଏହି କଡ଼ା ନିୟମ ଲାଗୁ କରାଯାଇଛି।

ଶୁକ୍ରବାର ନୃପେନ୍ଦ୍ର ମିଶ୍ରାଙ୍କ ଅଧ୍ୟକ୍ଷତାରେ ରାମ ମନ୍ଦିର ଟ୍ରଷ୍ଟ ବୋର୍ଡର ବୈଠକ ବସିଥିଲା। ଏଥିରେ ରାମ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ବ୍ୟାପକ ଆଲୋଚନା ହୋଇଥିଲା। ଏଥିସହ ମନ୍ଦିର ଭିତରକୁ ମୋବାଇଲ୍‌ ଫୋନ୍‌କୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିବାକୁ ନିଷ୍ପତ୍ତି ହୋଇଛି। ଟ୍ରଷ୍ଟି ଅନୀଲ ମିଶ୍ରା କହିଛନ୍ତି, ମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିୟମ ଲାଗୁ କରାଯାଇଛି। ସମସ୍ତ ଭକ୍ତଙ୍କୁ ଏହି ନିୟମ ପାଳନ କରିବାକୁ ଅନୁରୋଧ କରାଯାଇଛି।

ଟ୍ରଷ୍ଟି ଅନୀଲ ମିଶ୍ରାଙ୍କ କହିବା ମୁତାବକ, ରାମ ମନ୍ଦିର ପରିଦର୍ଶନ କରିବାକୁ ଆସୁଥିବା ଭକ୍ତଙ୍କ ମୋବାଇଲ ଫୋନ୍‌ ରଖିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି। ଭକ୍ତମାନେ ଲକର୍‌ ସୁବିଧା ପାଇବେ। ଏଥିରେ ସେମାନେ ନିଜର ମୋବାଇଲ୍‌ ସମେତ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଓ ଲଗେଜ ରଖିପାରିବେ।

ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ପରେ ଡିସେମ୍ବର ୨୦୨୪ ସୁଦ୍ଧା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ମାର୍ଚ୍ଚ ୨୦୨୫ ସୁଦ୍ଧା ମନ୍ଦିର ଚାରିପାଟର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହେବ ବୋଲି ଟ୍ରଷ୍ଟି ଅନୀଲ ମିଶ୍ରା କହିଛନ୍ତି।

ad-week
Leave A Reply

Your email address will not be published.