ଫୁଲବାଣୀ ବିଧାୟକ ଉମାଚରଣଙ୍କୁ ମନ୍ତ୍ରୀ ପଦବୀ ପାଇଁ କୁଇ ସମାଜର ଦାବୀ।

add-all

ଫୁଲବାଣୀ : ଚଳିତ ୨୦୨୪ ନିର୍ବାଚନରେ ଫୁଲବାଣୀ ବିଧାନସଭା କ୍ଷେତ୍ରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜେପିର ଉମାଚରଣ ମଲ୍ଲିକଙ୍କୁ ରାଜ୍ୟ ମନ୍ତ୍ରୀ ପରିଷଦରେ ସ୍ଥାନୀତ କରିବା ପାଇଁ କୁଇ ସମାଜ ସେଵା ସମିତି ପକ୍ଷରୁ ଦାବୀ କରାଯାଇଛି। ଏ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ପତ୍ର ଲେଖିଛି କୁଇ ସମାଜ। ସୂଚନା ଯୋଗ୍ୟ,ଚଳିତ ନିର୍ବାଚନ ରେ କନ୍ଧମାଳର ତିନୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଏକମାତ୍ର ବିଜେପି ପ୍ରାର୍ଥୀ ଭାବେ ଉମାଚରଣ ବିଜୟୀ ହୋଇଛନ୍ତି। ସେ ଜଣେ ଶିକ୍ଷିତ ରାଜନେତା ତଥା ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଭାବେ ମନ୍ତ୍ରୀ ହେବା ପାଇଁ ସମସ୍ତ ଯୋଗ୍ୟତା ବହନ କରୁଥିବା କହିଛି କୁଇ ସମାଜ। ଅପରପକ୍ଷରେ,ଏ ଦିଗରେ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ପ୍ରତି ସବୁବେଳେ ରାଜନୈତିକ ଦଳ ମାନେ ବୈମାତୃକ ମନୋଭାବ ଦେଖାଇ ଥିବା କୁହାଯାଇଛି। କନ୍ଧମାଳରୁ ଆଦିବାସୀ ନେତା ହିସାବରେ ୨୦୦୦ ମସିହା ପୂର୍ବରୁ ଶେଷ ଥର ପାଇଁ ଜି ଉଦୟଗିରି ବିଧାୟକ ନାଗାର୍ଜୁନ ପ୍ରଧାନ ମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ। ତା ପରଠାରୁ ଆଉ କୌଣସି ଆଦିବାସୀ ନେତା ଏହି ସୁଯୋଗ ପାଇ ନାହାନ୍ତି। ସେହିଭଳି ବିଜେଡି ଦଳ ମଧ୍ୟ ଗତ ତିନି ଥର ମଧ୍ୟରେ ଜିଲାରୁ କାହାକୁ ମନ୍ତ୍ରୀ କରିନାହିଁ।

ଚଳିତ ନିର୍ବାଚନରେ ଫୁଲବାଣୀ ନିର୍ବାଚନ ମଣ୍ଡଳୀର ଭୋଟର ବିଜେପି ପ୍ରତି ସମର୍ଥନ ଜଣାଇ ପ୍ରଥମ ଥର ପାଇଁ ଦଳୀୟ ପ୍ରାର୍ଥୀ ଉମାଚରଣ ଙ୍କୁ ବିଜୟୀ କରିଛନ୍ତି। ନବ ନିର୍ବାଚିତ ବିଧାୟକ କୁଇ ସମାଜ ସହ ବହୁ ଦିନରୁ ସଂଶ୍ଳିଷ୍ଟ ଏବଂ ଜଣେ ସାମାଜସେବୀ ହିସାବରେ ପରିଚିତ। ଅପରପକ୍ଷରେ, ଜିଲ୍ଲାର ବିଧାୟକ ମାନଙ୍କୁ ମନ୍ତ୍ରୀ ପରିଷଦରେ ପ୍ରତିନିଧିତ୍ଵ ମିଳୁ ନ ଥିବାରୁ ୫୩ ପ୍ରତିଶତ ଆଦିବାସୀ ଜନସଂଖ୍ୟା ବିଶିଷ୍ଟ କନ୍ଧମାଳ ଜିଲ୍ଲାର ପ୍ରଗତି ବାଧାପ୍ରାପ୍ତ ହେଉଛି ବୋଲି ସ୍ଥାନୀୟ କୁଇ ସମାଜ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି ସମାଜ କର୍ମକର୍ତ୍ତା। ତେଣୁ ଜିଲ୍ଲାର ସ୍ବାର୍ଥ ତଥା ଉମାଚରଣଙ୍କ ଯୋଗ୍ୟତାକୁ ଆଧାର କରି ତାଙ୍କୁ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସାମିଲ କରିବା ପାଇଁ କୁଇ ସମାଜ ପକ୍ଷରୁ ଦାବୀ କରାଯାଇଛି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁଇ ସମାଜ ସମ୍ପାଦକ ଅବନୀ କୁମାର କହଁର, ବାଲିଗୁଡା ଶାଖା ସଭାପତି ମନୋଜ କୁମାର ମଲ୍ଲିକ, ଫିରିଙ୍ଗିଆ ଶାଖା ସଭାପତି ମୁକୁନ୍ଦ କହଁର, ସାଂସ୍କୃତିକ ସମ୍ପାଦକ ବୀରେନ୍ଦ୍ର କହଁର, ନାରୀସଂଘ ସଭାପତି ସୌଦାମିନୀ କହଁର, କୋଷାଧ୍ୟକ୍ଷ ଭାବୀନ୍ଦ୍ର କହଁର, ଯୁଗ୍ମ ସମ୍ପାଦକ ଅଚ୍ୟୁତ ଜାନୀ ପ୍ରମୂଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.