ଧର୍ମେନ୍ଦ୍ର, ଅଶ୍ୱିନୀ ଓ ଜୁଏଲ ହେବେ ମନ୍ତ୍ରୀ, ପାଇଛନ୍ତି ଫୋନ୍ କଲ୍!

add-all

ଭୁବନେଶ୍ବର : ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି। ଏହା ସହିତ ସେ ତୃତୀୟ ଥର ପାଇଁ ଲଗାତାର ଭାବେ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ମୋଦିଙ୍କ ସହିତ ତାଙ୍କ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ମଧ୍ୟ ଶପଥ ନେବେ। ଏନ୍‌ଡିଏର ୫୨ରୁ ୫୫ ଜଣ ସାଂସଦ ମନ୍ତ୍ରୀ ଭାବେ ଆଜି ଶପଥ ନେବେ ବୋଲି ଜଣାପଡ଼ିଛି। କିନ୍ତୁ କେଉଁମାନଙ୍କୁ ମନ୍ତ୍ରୀ ପଦ ଦିଆଯିବ, ସେ ନେଇ କିଛି ଘୋଷଣା କରାଯାଇନାହିଁ। ତେବେ ଏନ୍‌ଡିଏର ଅନେକ ସଦସ୍ୟ ମନ୍ତ୍ରୀ ଭାବେ ଶପଥ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରୁ ଫୋନ୍ କଲ୍ ପାଇ ସାରିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ମନ୍ତ୍ରୀ ଭାବେ ଶପଥ ନେବା ପାଇଁ ପିଏମ୍‌ଓରୁ ଫୋନ୍ କଲ୍ ପାଇଥିବା ନେତାଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାରୁ ରାଜ୍ୟସଭାକୁ ଯାଇଥିବା ଅଶ୍ୱିନୀ ବୈଷ୍ଣବ, ପୂର୍ବତନ ମନ୍ତ୍ରୀ ତଥା ସୁନ୍ଦରଗଡ଼ରୁ ବିଜେପି ଟିକେଟରେ ପୁଣି ନିର୍ବାଚିତ ହୋଇଥିବା ଜୁଏଲ ଓରାମ ଓ ସମ୍ବଲପୁରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ। ଗତ ସରକାରରେ ଅଶ୍ୱିନୀ ବୈଷ୍ଣବ ରେଳ ଓ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଥିଲେ। ସେହିପରି ମୋଦି ସରକାରଙ୍କ ପ୍ରଥମ ପାଳିରେ ଜୁଏଲ ଓରାମ ଆଦିବାସୀ ବ୍ୟାପାର ମନ୍ତ୍ରୀ ଥିଲେ। ଗତ ସରକାରରେ ସେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇନଥିଲେ। ମୋଦି ସରକାରଙ୍କ ଉଭୟ ପାଳିରେ ମନ୍ତ୍ରୀ ହୋଇଥିଲେ ଧର୍ମେନ୍ଦ୍ର ପ୍ରଧାନ।
ଧର୍ମେନ୍ଦ୍ର, ଅଶ୍ୱିନୀ ଓ ଜୁଏଲଙ୍କ ସହିତ ଅନ୍ୟ ଯେଉଁମାନେ ପିଏମ୍‌ଓରୁ ଫୋନ୍ କଲ୍ ପାଇଛନ୍ତି, ସେମାନଙ୍କ ମଧ୍ୟରେ ଅଛନ୍ତି- ଜିତନ ରାମ ମାନ୍‌ଝୀ, ଅନୁପ୍ରିୟା ପଟେଲ, ଟିଡିପିର ମୋହନ ନାଇଡୁ ଓ ଚନ୍ଦ୍ରଶେଖର ପେମାସାନି, ନୀତିନ ଗଡ଼କରି, ରାଜନାଥ ସିଂହ, ଜୟନ୍ତ ଚୌଧୁରୀ,ଚିରାଗ ପାଶୱାନ, ପୀୟୁଷ ଗୋଏଲ୍, ମନୋହର ଖଟ୍ଟର,ଅର୍ଜୁନ ମେଘୱାଲଙ୍କୁ, ଶିବରାଜ ସିଂହ ଚୌହାନ, ସର୍ବାନନ୍ଦ ସୋନୱାଲ୍, ବାସଭରାଜ ବୋମ୍ମାଇ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଏଚ୍‌.ଡି କୁମାରସ୍ୱାମୀ।
ମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ଏନ୍‌ଡିଏର ସାଂସଦମାନଙ୍କୁ ଭେଟିବେ ନରେନ୍ଦ୍ର ମୋଦି। ନିଜ ସରକାରୀ ବାସଭବନରେ ମୋଦି ସେମାନଙ୍କୁ ଭେଟିବେ। ସେଥିପାଇଁ ସେଠାରେ ସାଂସଦଙ୍କ ଭିଡ଼ ଜମିଛି। ଅମିତ ଶାହ, ଜେପି ନଡ୍ଡା ଓ ନିର୍ମଳା ସୀତାରମଣଙ୍କ ସମେତ ଅନେକ ସାଂସଦ ସେଠାରେ ଉପସ୍ଥିତ ଅଛନ୍ତି।

ad-week
Leave A Reply

Your email address will not be published.