୧୮ରେ ଖୋଲିବ ସ୍କୁଲ; ପ୍ରଥମ ଦିନରୁ ମିଳିବ ମଧ୍ୟାହ୍ନ ଭୋଜନ

add-all

ଭୁବନେଶ୍ବର : ଗ୍ରୀଷ୍ମ ଛୁଟି ପରେ ଆସନ୍ତା ଆସନ୍ତା ୧୮ ତାରିଖରୁ ଖୋଲିବ ସ୍କୁଲ୍। ସ୍କୁଲ୍ ଖୋଲିବାର ପ୍ରଥମ ଦିନରୁ ହିଁ ପିଲାଙ୍କୁ ଦିଆଯିବ ମଧ୍ୟାହ୍ନ ଭୋଜନ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବା ପାଇଁ ପଦକ୍ଷେପ ନେବାକୁ ସମସ୍ତ ଡିଇଓଙ୍କୁ ପିଏମ୍ ପୋଷଣ ରାଜ୍ୟ ନୋଡାଲ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।
ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି, ପ୍ରଥମରୁ ୮ମ ଶ୍ରେଣୀରେ ପଢ଼ୁଥିବା ୬ରୁ ୧୪ ବର୍ଷ ବୟସର ପ୍ରତିଟି ଶିଶୁ ମଧ୍ୟାହ୍ନ ଭୋଜନ ପାଇବାକୁ ହକଦାର। ସ୍କୁଲର ଅବ୍ୟବସ୍ଥା ପାଇଁ ଛାତ୍ରଛାତ୍ରୀ ଯେପରି ସେମାନଙ୍କ ହକରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ତାଗିଦ କରାଯାଇଛି।
ଆଉ ମାତ୍ର ୨ ଦିନ ପରେ ସ୍କୁଲ୍ ଖୋଲିବ । ତା’ ପୂର୍ବରୁ ମଧ୍ୟାହ୍ନ ଭୋଜନ ପାଇଁ ବଳକା ରହିଥିବା ଚାଉଳ, ତେଲ, ଡାଲି, ସୋୟାବଢ଼ି ସମେତ ମଧ୍ୟାହ୍ନ ଭୋଜନରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀର ମାନ ଠିକ୍ ଅଛି କି ନାହିଁ ଯାଞ୍ଚ କରିବାକୁ କୁହାଯାଇଛି।
ରୋଷେୟା କିମ୍ବା ସ୍ୱୟଂ ସହାୟକ ଗୋଷ୍ଠୀ ରାନ୍ଧିବା ପୂର୍ବରୁ ତାହାକୁ ଭଲ ଭାବେ ପରଖିବେ । ସାମଗ୍ରୀଗୁଡ଼ିକ ଖାଇବା ଯୋଗ୍ୟ ନ ଥିଲେ ନଷ୍ଟ କରିବା ଦିଗରେ ପଦକ୍ଷେପ ନେବେ ସ୍କୁଲ ପ୍ରଧାନଶିକ୍ଷକ। ସିଆରସିସି ଓ ବିଇଓମାନେ ତାହାକୁ ଯାଞ୍ଚ କରିବେ ଓ ସୁନିଶ୍ଚିତ କରାଇବେ।
ପ୍ରଥମ ଦିନର ମଧ୍ୟାହ୍ନଭୋଜନରେ ଯେପରି କୌଣସି ପ୍ରକାର ଅବ୍ୟବସ୍ଥା ନ ହୁଏ ସେ ଦିଗରେ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀ ଏବଂ ସିଆରସିସିମାନେ ନିୟମିତ ଭାବେ ଯାଞ୍ଚ କରିବେ। ରୋଷେଇ ହେଉଥିବା ସ୍ଥାନର ସ୍ୱଚ୍ଛତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ରହିଛି। ରୋଷେୟା-ସହାୟକ, ପାନୀୟ ଜଳ ଓ ମଧ୍ୟାହ୍ନ ଭୋଜନ ଉପାଦାନ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରିବାକୁ ଡିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ad-week
Leave A Reply

Your email address will not be published.