ଶ୍ରୀମନ୍ଦିର ଭିତରେ ଭିଡ଼କୁ ନେଇ ଏମିତି କହିଲେ ଆଇନ୍‌ ମନ୍ତ୍ରୀ

add-all

ଭୁବନେଶ୍ବର : ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପରେ ପୁରୀରେ ବଢୁଛି ଭକ୍ତଙ୍କ ଭିଡ଼। ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀଜିଉଙ୍କୁ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି। ମନ୍ଦିର ବାହାରେ ଲାଗୁଥିବା ଲାଇନରୁ ଆଶ୍ୱସ୍ତି ମିଳିଛି। କିନ୍ତୁ ମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ ପାଇଁ ବିଶେଷ ବ୍ୟବସ୍ଥା ନଥିବାରୁ କେହି କେହି ଅସନ୍ତୋଷ ପ୍ରକାଶ କରୁଛନ୍ତି।
ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଛୁଟି ଦିନ ଥିବାରୁ ଭକ୍ତଙ୍କ ଭିଡ଼ ଥିଲା। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନି। ଆଗକୁ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଆଜିଠୁ ଧୀରେ ଧୀରେ ଦର୍ଶନ ଶୃଙ୍ଖଳିତ ହୋଇଛି। ସମସ୍ତଙ୍କ ସହଯୋଗ ରହିଲେ ଦର୍ଶନ ଆହୁରି ବ୍ୟବସ୍ଥିତ ହୋଇପାରିବ। ଜଗନ୍ନାଥଙ୍କ କୃପାରୁ ସବୁ ଠିକ ହେବ ବୋଲି ମନ୍ତ୍ରୀ କହିଛନ୍ତି।
ସେହିପରି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି, ଶୃଙ୍ଖଳିତ ଦର୍ଶନ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ଅଧିକ ୮ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଆଇନଶୃଙ୍ଖଳା ଏଡିଜି ନିଜେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଗୁଇନ୍ଦା ନିର୍ଦ୍ଦେଶକ ମଧ୍ୟ ସେଠାକୁ ଯିବେ ବୋଲି ମୁଖ୍ୟଶାସନ ସଚିବ କହିଛନ୍ତି।
ଅନ୍ୟ ପକ୍ଷରେ ମହାପ୍ରଭୁ ଜଗନ୍ନାଥଙ୍କ ବରିଷ୍ଠ ଦଇତାପତି ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି, ଚାରିଦୁଆର ଖୋଲାଯିବା ଭଲ କଥା। କିନ୍ତୁ ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା ହେବା ଆବଶ୍ୟକ।
ସେହିପରି ରତ୍ନଭଣ୍ଡାର ପ୍ରସଙ୍ଗରେ ସେ କହିଛନ୍ତି, ରତ୍ନଭଣ୍ଡାର ଅବସ୍ଥା ଅତି ବିପଦପୂର୍ଣ୍ଣ ରହିଛି। ବର୍ଷା ହେଲେ ରତ୍ନଭଣ୍ଡାର ଭିତରେ ପାଣି ଜମୁଛି। ରଥଯାତ୍ରା ଭିତରେ ରତ୍ନଭଣ୍ଡାର ଗଣତି କିମ୍ବା ମରାମତି ଶେଷ ହୋଇପାରିବନି। ତେବେ ରତ୍ନଭଣ୍ଡାର ଚାବି ହଜିବା ଓ ଚାବି ଫାଇଲରେ ଅଛି ବୋଲି ସ୍ୱପ୍ନାଦେଶ ହେବା ଅତି ପିଲାଳିଆମୀ କଥା ବୋଲି କହିଛନ୍ତି ଜଗନ୍ନାଥ ସ୍ୱାଇଁ ମହାପାତ୍ର।

ad-week
Leave A Reply

Your email address will not be published.