
ଛତ୍ରପୁର : ବିଗତ ବର୍ଷମାନଙ୍କରେ ବିଭିନ୍ନ ମନ୍ଦିର ଓ ଉତ୍ସବାନୁଷ୍ଠାନ ଯାନିଯାତ୍ରା, ପର୍ବପର୍ବାଣୀରେ ସେବାକାର୍ଯ୍ୟକରି ଉଦାହରଣ ସୃଷ୍ଟି କରିଥିବା ଛତ୍ରପୁରର ‘ସେବା ପ୍ରତିନିଧି’ ସେବାଦଳ ଏ ବର୍ଷ ପୁରୀ ରଥଯାତ୍ରାରେ ସେବା କାର୍ଯ୍ୟ କରିବାକୁ ମନସ୍ଥ କରି ଆଜି ସ୍ଥାନୀୟ ବିରେଶ୍ବର ମନ୍ଦିର ନିକଟରେ ଛତ୍ରପୁର ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା କରିଥିଲେ। ଏଥିରେ ୪୦ଜଣ ସ୍ବେଚ୍ଛାସେବୀ ଟୁଟୁ ନାୟକ ଓ ମନୋରଞ୍ଜନ ବେହେରାଙ୍କ ନେତୃତ୍ୱରେ ଯୋଗଦେଇଥିଲେ ।
ବୈଠକ ଆରମ୍ଭରେ ନବନିର୍ବାଚିତ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ସ୍ବେଚ୍ଛାସେବୀଙ୍କୁ ଉତ୍ତମ ସେବା ଜାରି ରଖିବା ପାଇଁ ଉତ୍ସାହିତ କରିବା ସହ ଲୋକଙ୍କ ପାଇଁ ଭବିଷ୍ୟତରେ ଜନହିତକର କାମ କରିବାକୁ ଆହ୍ବାନ ଦେଇଥିଲେ। ପରେ କେ. ଚନ୍ଦ୍ରଶେଖର ରେଡ୍ଡୀ (ଶେଖ ଭାଇନା), ଓ ଓକିଲ ଧର୍ମା. ରେଡ୍ଡୀ ସମସ୍ତ ସ୍ବେଚ୍ଛାସେବୀଙ୍କୁ ଅଧିକରୁ ଅଧିକ ଭଲ କାମ କରି ଛତ୍ରପୁରର ନାଁ ଲୋକଲୋଚନକୁ ଆଣିବାକୁ କହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ସୂଚନାଯୋଗ୍ୟ ଯେ, ଏଥର ରଥଯାତ୍ରାରେ ସେବା ପ୍ରତିନିଧି ସଙ୍ଗଠନର ପାଖାପାଖି ୨୦୦ଜଣ ସ୍ବେଚ୍ଛାସେବୀ ବିଶିଷ୍ଟ ସମାଜସେବୀ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ପୁରୀରେ ରଥଯାତ୍ରା ସମୟରେ ସେବା କରିବେ ବୋଲି କ୍ୟାଡ଼ର ଏପିପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ସେହିପରି ଏହି କାର୍ଯ୍ୟ କିପରି ଶାନ୍ତିଶୃଙ୍ଖଳାରେ ହେବ ସେ ନେଇ ଗତକାଲି ଭୁବନେଶ୍ୱରରେ ଅନୁରୂପ ଏକ ଆଲୋଚନା ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ହୋଇଥିଲା; ଯେଉଁଥିରେ ବିକାଶ ମହାରଣା ମୁଖ୍ୟ ଭୂମିକା ଗ୍ରହଣ କରି କିଭଳି ବିପଦ ସମୟରେ ସ୍ବେଚ୍ଛାସେବୀ, ଲୋକଙ୍କ ନିକଟତର ହେଇପାରିବେ ସେ ନେଇ ଆଲୋଚନା କରିଥିଲେ। ଆଜିର ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ପି. ପଦ୍ମନାଭ ରେଡ୍ଡୀ, ଚିନ୍ତାମଣି ପାଣିଗ୍ରାହୀ, ବି. ସାତେୟା, ଗଣେଶ ସାହୁ ତଥା ନରୋତ୍ତମ ପ୍ରଧାନ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।।