କାଲି କାଶୀପୁରରେ ଦିଆଯିବ ଡିପ୍‌ଥେରିଆ ବୁଷ୍ଟର ଡୋଜ

add-all

ଭୁବନେଶ୍ବର : ଡିପଥେରିଆ ସଂକ୍ରମଣ ବଢିବା ପରେ ସ୍ୱାସ୍ଥ୍ୟ ବିଭାଗର ବଡ଼ ପଦକ୍ଷେପ। ରାୟଗଡା ଜିଲ୍ଲା କାଶୀପୁରରେ ବୁଧବାରଠାରୁ ଦିଆଯିବ ଡିପଥେରିଆ ବୁଷ୍ଟର ଡୋଜ ଟିକା। ଏକ ବର୍ଷ ବୟସ ଭିତର ଶିଶୁଙ୍କୁ ପେଣ୍ଟା ଡୋଜ ଦିଆଯିବ। ୫ରୁ ୧୫ ବର୍ଷ ବୟସ୍କଙ୍କୁ TD ଡୋଜ ଦିଆଯିବ। ସର୍ଭେଲାନ୍ସ ସରିବା ପରେ ସଂକ୍ରମଣ ହୋଇଥିବା ଅନ୍ୟ ଅଞ୍ଚଳରେ ବୁଷ୍ଟର ଡୋଜ ଦିଆଯିବ। ଏବେ ଗାଡଲାଇନ୍‌ ଅନୁସାରେ ସଂକ୍ରମଣ ଅଞ୍ଚଳରେ ସର୍ଭେଲେନ୍ସ ଚାଲିଛି। ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଆଣ୍ଟି ବାୟୋଟିକ ଦିଆଯାଇଛି। ଆଗକୁ ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି ସର୍ଭେଲାନ୍ସ ହେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ସଂଯୁକ୍ତା ସାହୁ।
ଅନ୍ୟପକ୍ଷରେ ଡିପଥେରିଆ ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ରାଜ୍ୟରେ ସଂକ୍ରମଣର ରୂପ ନେଲାଣି ଡିପଥେରିଆ। ରାୟଗଡ଼ା ପରେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ମାଡ଼ି ଗଲାଣି। ବର୍ତ୍ତମାନ ସୁଦ୍ଧା ୩ ଜିଲ୍ଲାରେ ୨୧ ଜଣ ଚିହ୍ନଟ ହୋଇଛନ୍ତି। ୫ ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ଗୁରୁତର ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ରାୟଗଡାରୁ ୧୫ ଜଣ ଚିହ୍ନଟ ହୋଇଥିବା ବେଳେ କୋରାପୁଟ ବନ୍ଧୁଗାଁରୁ ଜଣେ, କଳାହାଣ୍ଡିରୁ ୪ରୁ ୫ ଜଣ ସନ୍ଦିଗ୍ଧ ଡିପ୍‌ଥେରିଆ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ନମୂନା ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ RMRCକୁ ପଠାଯାଇଛି ବୋଲି ଡାକ୍ତର ମିଶ୍ର କହିଛନ୍ତି।
ସେ ଆହୁରି କହିଛନ୍ତି, କୋରାପୁଟ ଜିଲ୍ଲା ବନ୍ଧୁଗାଁରୁ ଚିହ୍ନଟ ହୋଇଥିବା ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ତାଙ୍କୁ ବ୍ରହ୍ମପୁର MKCGକୁ ସ୍ଥାନାନ୍ତରିତ କରାଯାଇଛି। ଏକ ସ୍ୱତନ୍ତ୍ର ଟିମ୍‌ ମନିଟର କରୁଛି। କଳାହାଣ୍ଡି ଜିଲ୍ଲାର ରୋଗୀଙ୍କୁ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେପଟେ ରାୟଗଡ଼ାରେ ମାମଲା ସ୍ଥିର ରହିଛି। ଆଗ୍ରା, ହାଇଦରାବାଦରୁ ଆଣ୍ଟି ଡିପଥେରିଆଲ ସିରମ୍‌ ଅଣାଯାଇ ଆକ୍ରାନ୍ତଙ୍କୁ ଦିଆଯାଉଛି। ସଂକ୍ରମଣର ମୁକାବିଲା ପାଇଁ ୩ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ଓ WHO ଟିମ୍‌ ମିଳିତ ଭାବେ ଗାଁ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି ବୋଲି ସେ କହିଛନ୍ତି।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିବା ଅନୁସାରେ ଆଣ୍ଟିବାୟୋଟିକ ଦ୍ଵାରା ଏ ସଂକ୍ରମଣ ମୂଳପୋଛ କରାଯାଇପାରିବ। ତେବେ ଯେହେତୁ ଏହା ବାୟୁ ଦ୍ୱାରା ସଂକ୍ରମିତ ହେଉଛି, ସଂକ୍ରମଣ ରୋକିବାକୁ ପ୍ରଭାବିତ ଅଞ୍ଚଳର ଲୋକମାନେ ମାସ୍କ ପିନ୍ଧିବା ସହ ହାତ ଧୋଇବା ଭଳି ନିୟମ ପାଳନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ad-week
Leave A Reply

Your email address will not be published.