ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼

add-all

ପେନସିଲଭେନିଆର ବଟଲରରେ ଶନିବାର ନିର୍ବାଚନ ପ୍ରଚାର କରୁଥିବା ବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଏଥିରେ ସେ ସାମାନ୍ୟ ଆହତ ହୋଇଛନ୍ତି। ଗୁଳିଟି ତାଙ୍କ ଡାହାଣ କାନର ଉପର ଭାଗରେ ବାଜି ପଳାଇଥିଲା। ତେଣୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ଏହି ଗୁଳିମାଡ଼ ଘଟଣାରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅନ୍ୟପକ୍ଷରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଥୋମାସ ମାଥ୍ୟୁ କ୍ରୁକ୍‌ସ ବୋଲି ଏଫ୍‌ବିଆଇ ପକ୍ଷରୁ କୁହାଯାଇଛି।

ଟ୍ରମ୍ପ ଏକ ରାଲିକୁ ସମ୍ବୋଧିତ କରୁଥିବା ବେଳେ ହଠାତ୍ ତାଙ୍କ ଉପରକୁ ଗୁଳି ଚଳାଯାଇଥିଲା। ସେ ଭାଷଣ ଆରମ୍ଭ କରିବାର ପ୍ରାୟ ୫/୭ ମିନିଟ ପରେ ଏହି ଘଟଣା ଘଟିଥିଲା। ଗୁଳିମାଡ଼ ପରେ ପରେ ଟ୍ରମ୍ପ ତାଙ୍କ ଡାହାଣ କାନ ଉପରେ ହାତ ରଖି ଆଣ୍ଠୁ ମାଡ଼ି ତଳେ ବସି ପଡ଼ିଥିଲେ। ଏହା ପରେ ସଙ୍ଗେ ସଙ୍ଗେ ସୁରକ୍ଷାକର୍ମୀମାନେ ତାଙ୍କୁ ଘେରି ଯାଇଥିଲେ। ସୁରକ୍ଷାକର୍ମୀମାନଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ଘଟଣାସ୍ଥଳରେ ସନ୍ଦିଗ୍ଧ ଆକ୍ରମଣକାରୀ ନିହତ ହୋଇଥିଲେ। ଟ୍ରମ୍ପଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା। ତାଙ୍କ କାନରୁ ରକ୍ତ ବାହାରୁଥିଲା। ମୁହଁରେ ବି ରକ୍ତ ଲାଗିଥିଲା। ତେବେ ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି।

ଟ୍ରମ୍ପ ତାଙ୍କ ଟ୍ରୁଥ୍ ସୋଶାଲ ସାଇଟ୍‌ରେ ଲେଖିଛନ୍ତି, ଗୁଳି ଫୁଟିବା ଶବ୍ଦ ମୁଁ ଶୁଣି ପାରିଥିଲି। ଆଉ ତତ୍‌କ୍ଷଣାତ୍ ମୋ ଚର୍ମର ଉପର ଭାଗରେ ଏକ ଗୁଳି ବାଜି ଚାଲି ଯାଇଥିବା ଅନୁଭବ କଲି। ମୁଁ ୟୁନାଇଟେଡ୍ ଷ୍ଟେଟ୍‌ସ ସିକ୍ରେଟ୍ ସର୍ଭିସ ଓ ଅନ୍ୟ ଲ’ ଏନ୍‌ଫୋର୍ସମେଣ୍ଟ ସଂସ୍ଥାଗୁଡ଼ିକୁ ଧନ୍ୟବାଦ ଜଣାଇବାକୁ ଚାହିଁବି। ସେମାନେ ଏହି ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ବିଶ୍ୱାସ କରି ହେଉନି ଯେ ଆମ ଦେଶରେ ଏଭଳି ଏକ ଘଟଣା ଘଟିପାରେ ବୋଲି। 

ସେ ଆହୁରି କହିଛନ୍ତି, ରାଲିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ମୁଁ ସମବେଦନା ଜଣାଉଛି। ସେହିପରି ଗୁରୁତର ହୋଇଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ପରିବାର ଲୋକଙ୍କ ପାଇଁ ମଧ୍ୟ ମୁଁ ଦୁଃଖ ପ୍ରକାଶ କରୁଛି। 

ଏହି ଘଟଣାକୁ ଉଭୟ ରିପବ୍ଲିକାନ୍ ଓ ଡେମୋକ୍ରେଟିକ୍ ପାର୍ଟି ପକ୍ଷରୁ ନିନ୍ଦା କରାଯାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ଆମେରିକାରେ ଏଭଳି ହିଂସାକାଣ୍ଡର କୌଣସି ସ୍ଥାନ ନାହିଁ। ଆମେ ସମସ୍ତେ ଏକାଠି ହୋଇ ଏହାର ନିନ୍ଦା କରିବା। 

ଟ୍ରମ୍ପଙ୍କୁ ଗୁଳିମାଡ଼ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଘଟଣାକୁ ନିନ୍ଦା କରିବା ସହ ସେ ଟ୍ରମ୍ପଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ରାଜନୀତି ଓ ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ବୋଲି ମୋଦି କହିଛନ୍ତି।

ସୂଚନାଯୋଗ୍ୟ, ଆସନ୍ତା ନଭେମ୍ବର ୫ ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ତା’ର ୪ ମାସ ପୂର୍ବରୁ ଟ୍ରମ୍ପଙ୍କ ଉପରେ ହୋଇଛି ଆକ୍ରମଣ।

ad-week
Leave A Reply

Your email address will not be published.