କେନ୍ଦ୍ରାପଡ଼ା ସାଂସଦଙ୍କ ହସ୍ତକ୍ଷେପ ପରେ ଦୁବାଇରୁ ଫେରିଲେ ୮ ପ୍ରବାସୀ ଓଡ଼ିଆ

add-all

ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରେ ଫସିଥିବା ୮ ଜଣ ଓଡିଆ ଯୁବକ ଆଜି ନିଜ ଜନ୍ମମାଟିକୁ ଫେରିଛନ୍ତି। ଏହି ୮ ଜଣଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଗତ ୪ ତାରିଖରେ ଏକ ଚିଠି ଲେଖି ନିବେଦନ କରିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନଲଢାଳିଆ ଗ୍ରାମର ସ୍ବର୍ଗତ ସୁରେଶ ଦାସଙ୍କ ପୁଅ ମରୁତ ଦାସ, ନିମପୁର ଗ୍ରାମର ରାମଚନ୍ଦ୍ର ବେହେରାଙ୍କ ପୁଅ ଅଭିମନ୍ୟୁ ବେହେରା, ଜଗତସିଂହପୁର ଜିଲ୍ଲାର ନେହୁଳିଆ ଗ୍ରାମର ଶତ୍ରୁଘ୍ନ ସାମଲଙ୍କ ପୁଅ ନାରାୟଣ ସାମଲ, କଟକ ଜିଲ୍ଲାର କଳପଡା ଗ୍ରାମର ନରେନ୍ଦ୍ରନାଥ ପଟ୍ଟନାୟକଙ୍କ ପୁଅ ମିଟୁ ପଟ୍ଟନାୟକ, କୋରପଡା ଗ୍ରାମର ବିମ୍ବାଧର ହାତୀଙ୍କ ୩ ପୁଅ ରମେଶ ହାତୀ, ନରେଶ ହାତୀ, ବିଚିତ୍ରାନନ୍ଦ ହାତୀ ଓ କୁଳସରିଚୁହାଁ ଗ୍ରାମର ଦୂଶାସନ ପ୍ରଧାନଙ୍କ ପୁଅ ପିତବାସ ପ୍ରଧାନ ଗତ ମେ ମାସ ୧୯ ତାରିଖରେ ପାଇପମିସ୍ତ୍ରୀ ଭାବେ କାମ କରିବାକୁ ଏକ ଏଜେଣ୍ଟଙ୍କ ଜରିଆରେ ଦୁବାଇ ଯାଇଥିଲେ କିନ୍ତୁ ସେଠାରେ ପହଞ୍ଚିବା ପରେ କମ୍ପାନି କତ୍ତୃପକ୍ଷ ସେମାନଙ୍କୁ ଅନ୍ୟ କାମରେ ନିୟୋଜିତ କରିଥିଲେ। ଅନିଚ୍ଛା ପ୍ରକାଶ କରିବାରୁ କମ୍ପାନୀ କତ୍ତୃପକ୍ଷ ସେମାନଙ୍କୁ ଚାକିରିରୁ ବହିଷ୍କାର କରିଦେଇଥିଲେ। ସେମାନେ ବହୁ ଦୁଃଖ କଷ୍ଟରେ ଏକ ମସଜିଦରେ ଆଶ୍ରୟ ନେଇଥିଲେ।

ନିରୁପାୟ ହୋଇ ପରିବାର ଲୋକ ସେମାନଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ସମସ୍ତଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ସଙ୍ଗେ ସଙ୍ଗେ ସହାୟତା ଯୋଗାଇଦେବାକୁ ନିବେଦନ କରିଥିଲେ। ପହଞ୍ଚିବା ପରେ ପରିବାର ଲୋକ ଶ୍ରୀ ପଣ୍ଡାଙ୍କୁ ସାକ୍ଷତ କରି କୃତ୍ତଜ୍ଞତା ଜଣାଇଛନ୍ତି।

ad-week
Leave A Reply

Your email address will not be published.