ହତ୍ୟା ମାମଲାରେ ୧୪ ଜଣଙ୍କୁ ଆଜୀବନ ଜେଲ୍‌ ଓ ଜରିମାନା

add-all

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡିରେ ଘଟିଥିବା ଏକ ହତ୍ୟା ମାମଲାରେ ୧୫ ବର୍ଷ ପରେ ଆଜି ରାୟ ପ୍ରକାଶ ପାଇଛି। ୧୪ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ପାରଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ଦୌରା ଜଜ ପ୍ରଦୀପ କୁମାର ସାମଲ। ଏଥିସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ମଧ୍ୟ କରିଛନ୍ତି କୋର୍ଟ।
୨୦୦୯ ମସିହା ମାର୍ଚ୍ଚ ୧୨ ତାରିଖ। ସେଦିନ ଥିଲା ରଙ୍ଗର ପର୍ବ ହୋଲି। ସେହିଦିନ ପୂର୍ବ ଶତ୍ରୁତାରୁ ଘାସି ସାହିର ସକଳମୁଖୀ ବଲ୍ଲଭ(୮୪), ଗୁରାଲୁ ବୁଡୁ(୫୬), ନାଗବଂଶ ନାଗାର୍ଜୁନ(୨୮), ପାଡାଲା ପ୍ରସାଦ(୪୭), ବାଦା ଜିଲିପି ଓରଫ ଜିଲିପି କ୍ରିଷ୍ଣା(୪୨), ନାଗବଂଶ ରାମସ୍ୱାମୀ(୩୬), ଲିଆରି ସୁରେଶ(୪୨), ନାଗବଂଶ ରାମକୃଷ୍ଣ(୩୪), ସକଳମୁଖୀ ମାଧବ(୨୬), ନାଗବଂଶ ସୀମାଦ୍ରୀ(୬୨), ହରିକୃଷ୍ଣ ନାଗବଂଶ(୫୦), ନାଗବଂଶ ପଦ୍ମନ(୪୧), ନାଗବଂଶ ରାଧାକାନ୍ତ(୪୩), ଗୁରାଲୁ ଗୋପାଳ(୬୨), ନାଗବଂଶ ଭାସ୍କର ଓ ଜଙ୍ଗମ ହରିନାଥ ବିଭିନ୍ନ ମାରଣାସ୍ତ୍ର ଧରି ଘରେ ପଶି ଆକ୍ରମଣ କରିଥିଲେ। ଏପରିକି ଜଣେ ମହିଳାଙ୍କୁ ଅସଦାଚରଣ କରିଥିଲେ।
ଗଣ୍ଡଗୋଳ ସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ପୁଲିସ୍‌ ପହଞ୍ଚିଥିଲା। ଆହତ ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପ୍ରଥମେ ହତ୍ୟା ଉଦ୍ୟମ ଓ ପରେ ହତ୍ୟା ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ୧୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲିଥିଲା। କୋର୍ଟ ମାମଲା ବିଚାରାଧୀନ ଥିବା ବେଳେ ଅଭିଯୁକ୍ତ ନାଗବଂଶ ଭାସ୍କର ଓ ଜଙ୍ଗମ ହରିନାଥଙ୍କ ମୃତ୍ୟୁ ହୋଇଥିଲା।
୧୫ ବର୍ଷ ପରେ ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ସାକ୍ଷୀଙ୍କ ବୟାନ୍‌ ଓ ଆଶବ୍ୟକ ତଥ୍ୟ ଆଧାରରେ ପାରଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ଦୌରାଜଜ ୧୪ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସମସ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ପବ୍ଲିକ ପ୍ରସିକ୍ୟୁଟର ବୃନ୍ଦାବନ ନାୟକ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.