ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ନେଇଗଲେ ଶିକ୍ଷକ ଦମ୍ପତି

add-all

କେନ୍ଦୁଝର : ସ୍ୱାମୀ-ସ୍ତ୍ରୀ ଶିକ୍ଷକତା କରୁଥିଲେ। ତଥାପି ଟଙ୍କା ଦରକାର ପଡୁଥିଲା। ତେଣୁ ଶିକ୍ଷିତ ବେକାର ଯୁବକ ଓ ଯୁବତୀଙ୍କୁ ଠକୁଥିଲେ। ଚାକିରି ଦେବା ବାହାନାରେ ଶିକ୍ଷକ ଦମ୍ପତି ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କେନ୍ଦୁଝର ଜିଲ୍ଲାରୁ ଆସିଛି। ଠକାମୀରେ ଶିକାର ହୋଇଥିବା ଜଣେ ପୀଡ଼ିତାଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହେଲେ ତାଙ୍କ ସ୍ୱାମୀ ଫେରାର ଅଛନ୍ତି।
ଘସିପୁରା ଥାନା ଜଅଁରା ଗାଁର ରବୀନ୍ଦ୍ର କୁମାର ବେହେରା ହେଉଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ। ତାଙ୍କ ପତ୍ନୀ ଅନୁସୟା ବାରିକ ଏବେ ପଡ଼ୋଶୀ ଯାଜପୁର ଜିଲ୍ଲା ରଗଡି ତାଳପଦା ସେବାଶ୍ରମରେ ଶିକ୍ଷକତା କରୁଛନ୍ତି। ଚାକିରି ଦେବାକୁ କହି ଏହି ଦମ୍ପତି ବହୁ ଶିକ୍ଷିତ ଯୁବକ ଓ ଯୁବତୀଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇଛନ୍ତି। ହେଲେ ପରବର୍ତ୍ତୀ ସମୟରେ ଚାକିରି ଦେଇନଥିଲେ। ଏପରିକି ନେଇଥିବା ଟଙ୍କା ଫେରାଉନଥିଲେ। ଯେଉଁଥିପାଇଁ ପ୍ରତିଦିନ ଠକାମୀରେ ଶିକାର ହୋଇଥିବା ଯୁବକ, ଯୁବତୀ ଓ ତାଙ୍କ ପରିବାର ଲୋକେ ରବୀନ୍ଦ୍ରଙ୍କ ଗାଁ ଜଅଁରାକୁ ଆସି ଖାଲି ହାତରେ ଫେରୁଥିଲେ। ମିଳିଥିବା ସୂଚନା ଅନୁସାରେ ଉକ୍ତ ଠକ ଦମ୍ପତି ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି।
ରବୀନ୍ଦ୍ର ଓ ତାଙ୍କ ପତ୍ନୀ ଅନୁସୟାଙ୍କ ଜାଲରେ ପଡ଼ିଥିଲେ ଆନନ୍ଦପୁର ଥାନା ୟେରଗଡ଼ିଆ ଗୋପାଳପୁର ଗାଁର ମଧୁସ୍ମିତା ଜେନା। ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ତାଙ୍କଠାରୁ ୫ ଲକ୍ଷ ୬୫ ହଜାର ଟଙ୍କା ନେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଚାକିରି ଦେଇନଥିଲେ କି ନେଇଥିବା ଟଙ୍କା ଫେରାଉନଥିଲେ। ତେଣୁ ସେ ଏନେଇ ଘସିପୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ଶିକ୍ଷୟିତ୍ରୀ ଅନୁସୟା ବାରିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହେଲେ ଗିରଫ ଭୟରେ ରବୀନ୍ଦ୍ର ଫେରାର ହୋଇଯାଇଛି। ପୁଲିସ୍‌ ତାଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚଳାଇଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.