ଭୂମିପୂଜନ ପାଇଁ ଛାଡ଼ିଲେନି, ଭାଙ୍ଗି ଦେଲେ ଫଳକ; ଫେରିଗଲେ କେନ୍ଦ୍ରମନ୍ତ୍ରୀ

add-all

କୋରାପୁଟ : ବକ୍ସସାଇଟ୍‌ ଖନନ ପାଇଁ ଆଜି ଭୂମିପୂଜନ ହେବାର ଥିଲା। ହେଲେ ସ୍ଥାନୀୟ ଲୋକେ ଭୂମି ପୂଜନ ପାଇଁ ଅତିଥିଙ୍କୁ ଛାଡ଼ିଲେ ନାହିଁ। ନାମ ଫଳକ ଓ ଟେଣ୍ଟ ଭାଙ୍ଗି ଦେଲେ। ଅଧାବାଟରୁ ଫେରିଗଲେ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ଅତିଥି। ଆଜି ଏପରି ପ୍ରତିବାଦର ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ।
ପଟ୍ଟାଙ୍ଗୀ ଥାନା ଅଞ୍ଚଳରେ ରହିଛି ସେରୁବନ୍ଧ ଖଣି। ଏହି ଖଣିରୁ ବକ୍ସସାଇଟ୍‌ ଉତ୍ତୋଳନ ପାଇଁ ଆଜି ଭୂମିପୂଜନ ହେବାର ଥିଲା। ଏଥିପାଇଁ ପାହାଡ଼ ପାଦଦେଶରେ ବନ୍ଧା ଯାଇଥିଲା ଷ୍ଟେଜ୍‌ ଓ ନିର୍ମାଣ ହୋଇଥିଲା ନାମ ଫଳକ। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଭୂମି ପୂଜନ ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଯୋଗଦେବାର ଥିଲା। ସେଥିପାଇଁ କେନ୍ଦ୍ର ମନ୍ତ୍ରୀ ନୂଆଦିଲ୍ଲୀରୁ ବିଶାଖାପାଟଣା ଦେଇ କୋରାପୁଟ୍‌ରେ ପହଞ୍ଚିଥିଲେ। ମନ୍ତ୍ରୀ କୋରାପୁଟରେ ପହଞ୍ଚିବା ପରେ ସମସ୍ତ ଅଥିତି ଯଥା- ନାଲକୋ ସିଏମ୍‌ଡି ଶ୍ରୀଧର ପାତ୍ର, ଜିଲ୍ଲାପାଳ ଭି. କିର୍ତ୍ତୀଭାସନ, ଏସ୍‌ପି ଅଭିନବ ସୋନ୍‌କାର, ବିଧାୟକ ରଘୁରାମ ମାଛ ପ୍ରମୁଖ ଭୂମିପୂଜନ ସ୍ଥଳକୁ ଯାଉଥିଲେ।
ସେପଟେ ସେରୁବନ୍ଧ ଖଣିରୁ ବକ୍ସସାଇଟ୍ ଖନନକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ। ଉତ୍ତ୍ୟକ୍ତ ଲୋକେ ଭୂମି ପୂଜନ ଉତ୍ସବ ପାଇଁ ତିଆରି ହୋଇଥିବା ଟେଣ୍ଟକୁ ଭାଙ୍ଗି ଦେଇଥିଲେ। ନାମ ଫଳକକୁ ଭାଙ୍ଗି ମାଟିରେ ମିଶାଇ ଦେଇଥିଲେ। ଆଉ ଭୂମି ପୂଜନ ଉତ୍ସବକୁ ଆସୁଥିବା ଅତିଥିଙ୍କୁ ସ୍ଥାନୀୟ ଲୋକ ରାସ୍ତାରେ ଅଟକାଇ ଥିଲେ। ଆଗକୁ ବଢ଼ିବା ପାଇଁ ଛାଡ଼ି ନଥିଲେ। ଯାହାଫଳରେ ଦୀର୍ଘ ସମୟ ଧରି ରାସ୍ତାରେ ଅଟକି ରହିଥିଲେ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ଅତିଥି। କୋରାପୁଟ ଜିଲ୍ଲାପାଳ ଓ ଏସ୍‌ପି ପ୍ରତିବାଦ କରୁଥିବା ଲୋକଙ୍କୁ ବୁଝାସୁଝା କରିଥିଲେ। ହେଲେ ସେମାନେ ବୁଝିବା ମୋଡ୍‌ରେ ନଥିଲେ। ନିଜ ଜିଦ୍‌ରେ ଅଟଳ ରହିଥିଲେ। ଲୋକଙ୍କ ଦାବି, ଆଗେ ପ୍ରଭାବିତ ଅଞ୍ଚଳର ସମସ୍ୟା ସମାଧାନ କରାଯାଉ। ଏ ସମ୍ପର୍କରେ ଆମ ସହ ଆଲୋଚନା କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଥିଲେ।
ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ମନ୍ତ୍ରୀ ନାଲକୋ ଗେଷ୍ଟ ହାଉସକୁ ଫେରି ଆସିଥିଲେ। ତା’ପରେ ସେଠାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ନଲୋକ ସିଏମ୍‌ଡି ଓ ଅନ୍ୟ ଅଧିକାରୀମାନେ ଏବଂ ବିଭିନ ସଙ୍ଗଠନର କର୍ମକର୍ତ୍ତା ଯୋଗଦେଇଥିଲେ। ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ପରେ ଭୂମି ପୂଜନ କରାଯିବ ବୋଲି ଜଣାପଡ଼ିଛି।

ad-week
Leave A Reply

Your email address will not be published.