ଆଦାନି ଗ୍ରୁପ ଉପରେ ପୁଣି ପଡ଼ିଲା ହିଣ୍ଡେନବର୍ଗର ପ୍ରଭାବ, ଶେଆର ବଜାରରେ 17% ହ୍ରାସ

add-all

ହିଣ୍ଡେନବର୍ଗ ରିପୋର୍ଟ ମଧ୍ୟରେ ଖସିଲା ଆଦାନି ଗ୍ରୁପ୍ ବ୍ୟବସାୟ। ଆଜି ଆଦାନି ଗ୍ରୁପର ଶେଆର 17% ହ୍ରାସ ପାଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ)ରେ ଆଦାନୀ ପାୱାର 10.94% ହ୍ରାସ ପାଇଛି। 

ସେହିପରି ଆଦାନୀ ଏଣ୍ଟରପ୍ରାଇଜେସ୍ 5.27% ହ୍ରାସ ପାଇ 3,018.55 ଟଙ୍କାରେ ପହଞ୍ଚିଛି। ବଜାର ଖୋଲିବା ମାତ୍ରେ ଆଦାନି ଏନର୍ଜି ସଲ୍ୟୁସନ୍ସ ବ୍ୟବସାୟର ସର୍ବ ବୃହତ ହ୍ରାସ ଘଟିଥିଲା। କିଛି ସମୟ ପରେ ଏଥିରେ ସାମାନ୍ୟ ପରିବର୍ତ୍ତନ ଆସିବା ପୂର୍ବରୁ 17.06% ହ୍ରାସ ପାଇଥିଲା ଏନର୍ଜି ସଲ୍ୟୁସନ୍ସ।

ସେହିପରି ଆଦାନୀ ଗ୍ରୀନ୍ ଏନର୍ଜି 6.96% ହ୍ରାସ ପାଇ 1,656.05 ଟଙ୍କା ହୋଇଛି। ଏଥିସହ ACC, ଅମ୍ବୁଜା ସିମେଣ୍ଟ ଏବଂ NDTV ମଧ୍ୟ 2-3% ହ୍ରାସ ଘଟିଛି।

ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ଆଦାନି ଗ୍ରୁପ୍ ପକ୍ଷରୁ ସଫେଇ ଦିଆ ଯାଇଥିଲେ ମଧ୍ୟ ଆଜି ଏହାର ଶେଆର ବଜାର ପ୍ରଭାବିତ ହୋଇଛି। ଗତବର୍ଷ ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ଆଦାନି ଗ୍ରୁପ୍ ଶେଆର ବଜାରରେ ଏକ ବଡ଼ ଧରଣର କ୍ଷତି ସହିଥିଲା। ଶେଷରେ 2024 ଜାନୁଆରୀରେ ହିଣ୍ଡେନବର୍ଗର ରିପୋର୍ଟକୁ ଭିତ୍ତିହୀନ ଦର୍ଶାଇଥିଲେ ସୁପ୍ରିମକୋର୍ଟ।

ଏହାପରେ ଆଦାନି ଗ୍ରୁପ୍ ପୁନର୍ବାର ମାର୍କେଟରେ ଦବଦବା ଜାହିର କରିଥିଲା। ଏସବୁ ମଧ୍ୟରେ ଶନିବାର ହିଣ୍ଡେନବର୍ଗ ପୁଣି ଆଦାନି ଗ୍ରୁପ୍ ବିରୁଦ୍ଧରେ ଅଭିଯୋଗ ଆଣିଛି। ଆମେରିକାର ଏହି ସର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ସଂସ୍ଥା ରିସର୍ଚ୍ଚରେ କହିଛି ଯେ, ଆଦାନି ଗ୍ରୁପର ସ୍କାମରେ ଜଡିତ ବିଦେଶୀ କମ୍ପାନିରେ ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍ ଏବଂ ତାଙ୍କ ସ୍ୱାମୀ ଧବଲ ବୁଚଙ୍କ ଅଂଶଧନ (ଶେଆର୍) ରହିଛି।

ଆଦାନୀ ଗ୍ରୁପର ବିଦେଶୀ ଅଂଶଧନ ସମ୍ପର୍କରେ ତଦନ୍ତ ପାଇଁ ସେବି ଯଥେଷ୍ଟ ଆଗ୍ରହ ନଦେଖାଇବାର ଏହା ଏକ କାରଣ ବୋଲି ହିଣ୍ଡେନବର୍ଗ ରିସର୍ଚ୍ଚ ଦାବି କରିଥିଲା। ଏହାକୁ ନେଇ ସେବି ମୁଖ୍ୟ ଏବଂ ତାଙ୍କ ସ୍ୱାମୀ ପ୍ରତିକ୍ରିୟା ରଖି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ବଦନାମ କରିବାକୁ ଚେଷ୍ଟା ଚାଲିଛି ବୋଲି କହିଥିଲେ।

ସେହିପରି ଆଦାନି ଗ୍ରୁପ୍ ମଧ୍ୟ ହିଣ୍ଡେନବର୍ଗର ରିପୋର୍ଟକୁ ବ୍ୟକ୍ତିଗତ ଫାଇଦା ଉଦ୍ଦେଶ୍ୟରେ କରାଯାଇଥିବା କହିଥିଲା। ଏସବୁ ସଫେଇ ସତ୍ତ୍ୱେ ଆଜି ଶେଆର ବଜାରରେ ଆଦାନି ଗ୍ରୁପ୍ ଉପରେ ପ୍ରଭାବ ପଡ଼ିଛି। 

ad-week
Leave A Reply

Your email address will not be published.