ଅଭିଯୁକ୍ତ ସଞ୍ଜୟ ରୟର ହେବ ମିଛ ଧରା ପରୀକ୍ଷା

add-all

କୋଲକାତା : କୋଲକାତାର ସରକାରୀ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟର ହେବ ମିଛ ଧରା ପରୀକ୍ଷା। ଘଟଣାର ତଦନ୍ତ କରୁଥିବା ସିବିଆଇକୁ ମିଛ ଧରା ପରୀକ୍ଷା କରିବା ପାଇଁ ଆଜି କୋଲକାତାର ଗୋଟିଏ କୋର୍ଟ ଅନୁମତି ଦେଇଛନ୍ତି।
ଘଟଣା ସମ୍ପର୍କରେ ସଞ୍ଜୟ ଠାରୁ ବିସ୍ତୃତ ତଥ୍ୟ ହାସଲ କରିବା ପାଇଁ ସିବିଆଇ ତା’ର ମିଛ ଧରା ପରୀକ୍ଷା କରିବାକୁ ଚାହୁଁଛି। ଏନେଇ ସଂସ୍ଥା ପକ୍ଷରୁ ଆଜି କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ମଧ୍ୟ ଏଥିପାଇଁ ଅନୁମତି ଦେଇଛନ୍ତି।
ଅଗଷ୍ଟ ୯ରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ରୁମରୁ ୩୧ ବର୍ଷୀୟ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା। ମୃତଦେହ ମିଳିବାର ୧୨ ଘଣ୍ଟା ମଧ୍ୟରେ କୋଲକାତା ପୁଲିସ୍‌ ସିଭିକ ସ୍ୱେଚ୍ଛାସେବୀ ଭାବେ କାମ କରୁଥିବା ସଞ୍ଜୟ ରୟକୁ ଗିରଫ କରିଥିଲା।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସଞ୍ଜୟ ରୟ ଘଟଣା ଦିନ ପ୍ରଚୁର ମଦ ପିଇବା ପରେ ଅଶ୍ଳୀଳ ଭିଡିଓ ଦେଖିଥିଲା। ଏହାପରେ ସେ ହସ୍ପିଟାଲର ସେମିନାର ରୁମରେ ବିଶ୍ରାମ ନେଇଥିବା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିଲା।
ପୁଲିସ୍‌ କହିଛି ଯେ ଘଟଣା ଦିନ ସଞ୍ଜୟ ରୟ ବାରମ୍ବାର ହସ୍ପିଟାଲ ଭିତରକୁ ଯାଇଥିଲା। ସେହିପରି ସେ ସେମିନାର ରୁମ ଭିତରକୁ ଯାଉଥିବା ସିସିଟିଭି ଫୁଟେଜ ମଧ୍ୟ ପୁଲିସ୍‌କୁ ମିଳିଛି।
ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବା ପରେ ସେ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲା। ସେ ଘଟଣା ସ୍ଥଳରେ ପଡ଼ିଥିବା ରକ୍ତ ଛିଟାକୁ ପୋଛିଥିଲା। ଭୋର ପ୍ରାୟ ୪.୪୫ରେ ସେ ସେମିନାର ରୁମରୁ ବାହାରି ସିଧା ପୁଲିସ୍‌ ବାରାକକୁ ଚାଲି ଯାଇଥିଲା। ସିସିଟିଭି ଫୁଟେଜ ଆଧାରରେ ପୁଲିସ୍‌ ତାକୁ ଗିରଫ କରିଛି।
ଘଟଣାକୁ ନେଇ ପୂରା ଦେଶରେ ବିକ୍ଷୋଭ ଚାଲିଛି। ସମସ୍ତେ ଦୋଷୀକୁ ଫାଶୀ ଖୁଣ୍ଟରେ ଝୁଲାଇ ଦେବାକୁ ଦାବି କରିଛନ୍ତି।

ad-week
Leave A Reply

Your email address will not be published.