କେନ୍ଦ୍ର ସରକାରଙ୍କ ନୂଆ ପେନସନ ଯୋଜନା, ମିଳିବ ଏହି ସବୁ ସୁବିଧା

add-all

ନୂଆଦିଲ୍ଲୀ : କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଆଜି ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ନୂଆ ପେନସନ ସ୍କିମ୍। ୟୁନିଫାଏଡ୍ ପେନସନ ସ୍କିମ୍ (ୟୁପିଏସ୍) ଉପରେ ଆଜି କେନ୍ଦ୍ର କ୍ୟାବିନେଟର ମୋହର ବାଜିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ସରକାରୀ କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୟୁପିଏସ୍‌କୁ ମଞ୍ଜୁର ଦେଇଥିବା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଏହି ନୂଆ ଯୋଜନା ଦ୍ୱାରା ୨୩ ଲକ୍ଷ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଉପକୃତ ହେବେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁମାନେ ୨୦୦୪ରୁ ୨୦୨୫ ମାର୍ଚ୍ଚ ମଧ୍ୟରେ ଅବସର ନେଇଛନ୍ତି ବା ନେବେ, ସେମାନେ ମଧ୍ୟ ଏହି ପେନସନ ଯୋଜନାର ଲାଭ ପାଇପାରିବେ। ଏହା ବ୍ୟତୀତ ସେମାନେ ସୁଧ ସହିତ ବକେୟା ଅର୍ଥ ମଧ୍ୟ ପାଇବେ।
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ବିଶ୍ୱର ବିଭିନ୍ନ ଦେଶରେ ଉପଲବ୍ଧ ଯୋଜନାକୁ ଦେଖିବା ପରେ ଓ ଅନେକ ଲୋକଙ୍କ ସହ ଆଲୋଚନା କରିବା ପରେ ୟୁନିଫାଏଡ୍ ପେନସନ ଯୋଜନା ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ମାରିଛି।
ସରକାରୀ କର୍ମଚାରୀମାନେ NPS ଓ UPS ମଧ୍ୟରୁ ଯେଉଁଟା ଚାହିଁବେ, ତାହା ନେଇପାରିବେ। କର୍ମଚାରୀମାନେ ଦୁଇଟି ପେନ୍‌ସନ୍‌ ସ୍କିମ୍‌ ମଧ୍ୟରୁ ଗୋଟିଏର ଲାଭ ଉଠାଇ ପାରିବେ।
ସେ ଆହୁରି କହିଛନ୍ତି, ଏହି ଯୋଜନାରେ କେନ୍ଦ୍ର ସରକାରଙ୍କର ୨୩ ଲକ୍ଷ କର୍ମଚାରୀ ଉପକୃତ ହେବେ। ଏଥିସହିତ ୟୁପିଏସରେ ସରକାରଙ୍କ ଅବଦାନ ୧୮.୫% ହେବ। ଏହି ଯୋଜନା ୨୦୨୫ ଏପ୍ରିଲ ୧ରୁ ଲାଗୁ ହେବ।
କର୍ମଚାରୀମାନେ ଏକ ନିର୍ଦ୍ଦିଷ୍ଟ ପରିମାଣର ନିଶ୍ଚିତ ରାଶି ଦାବି କରୁଥିଲେ। ୟୁପିଏସ୍ ଅଧୀନରେ କର୍ମଚାରୀମାନଙ୍କୁ ଅବସର ପରେ ୫୦% ନିଶ୍ଚିତ ଅର୍ଥ ପେନସନ ଭାବେ ଦିଆଯିବ। ଅବସରର ନେବାର ବର୍ଷକ ପୂର୍ବରୁ ଥିବା ବେସିକ ପେ’ର ୫୦% ସେମାନଙ୍କୁ ପେନସନ ଆକାରରେ ମିଳିବ।
କର୍ମଚାରୀମାନେ ୨୫ ବର୍ଷ କାମ କରିବା ପରେ ହିଁ ଏହି ପେନସନ ପାଇବେ। ଯଦି କୌଣସି କର୍ମଚାରୀଙ୍କ ଦେହାନ୍ତ ହୋଇଯିବ, ତା’ହେଲେ ଏହି ଯୋଜନା ଅଧୀନରେ ପାରିବାରିକ ପେନସନ ପାଇଁ ବି ବ୍ୟବସ୍ଥା ରହିବ। ମୃତକଙ୍କ ସ୍ୱାମୀ କିମ୍ବା ସ୍ତ୍ରୀ ୬୦% ଅର୍ଥ ପେନସନ ଆକାରରେ ପାଇବେ।
ଯଦି ଜଣେ କର୍ମଚାରୀଙ୍କ ସେବା ୨୫ ବର୍ଷରୁ କମ୍ ଓ ସର୍ବାଧିକ ୧୦ ବର୍ଷ ହୋଇଥିବ, ତେବେ ସେ ପ୍ରତି ମାସରେ ୧୦ ହଜାର ଟଙ୍କା ପେନସନ ଆକାରରେ ପାଇବେ।
ବର୍ତ୍ତମାନ ଲାଗୁ ହେଉଥିବା ପେନସନ ବ୍ୟବସ୍ଥାରେ କର୍ମଚାରୀଙ୍କ ଯୋଗଦାନ ୧୦% ରହିଥିବା ବେଳେ ସରକାର ୧୪% ଯୋଗଦାନ କରୁଛନ୍ତି। କିନ୍ତୁ ୟୁପିଏସ୍‌ରେ ସରକାରଙ୍କ ଯୋଗଦାନ ୧୮.୫% ରହିବ।

ad-week
Leave A Reply

Your email address will not be published.