ଛାତ୍ରୀ ମୃତ୍ୟୁ ମାମଲା, ଚାକିରି ହରାଇଲେ ୱାର୍ଡେନ

add-all

ବାରିପଦା : ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଉଚ୍ଚ ବିଦ୍ୟାଳୟର କସ୍ତୁରବା ହଷ୍ଟେଲ ଛାତ୍ରୀ ମଧୁସ୍ମିତା ବେହେରାଙ୍କ ମୃତ୍ୟୁ ଘଟଣାରେ ଚାକିରି ହରାଇଛନ୍ତି ୱାର୍ଡେନ ମିନତି ମହାପାତ୍ର । ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ଏହା ସହିତ ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ସେଠୀଙ୍କୁ ନିଲମ୍ବନ କରିବା ପାଇଁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ।
ଛାତ୍ରୀ ମଧୁସ୍ମିତା ବେହେରା ଗତକାଲି ରାତିରେ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ସ୍ଥାନୀୟ ଖୁଣ୍ଟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁ ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଖୁଣ୍ଟା ଛକରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ। ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ସହ ହଷ୍ଟେଲ ଦାୟିତ୍ୱରେ ଥିବା ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ଆନ୍ଦୋଳନକାରୀ ଦାବି କରିଥିଲେ।
ମଧୁସ୍ମିତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ ଯେ ହଷ୍ଟେଲ ଦାୟିତ୍ବରେ ଥିବା କର୍ମଚାରୀଙ୍କ ଅବହେଳା ଯୋଗୁ ସେମାନଙ୍କ ଝିଅର ମୃତ୍ୟୁ ଘଟିଛି। ଝିଅ ଅସୁସ୍ଥ ହେବା କ୍ଷଣି ତାକୁ ଡାକ୍ତରଖାନାକୁ ନେଇଯିବାର ଥିଲା ବୋଲି ସେମାନେ କହିଛନ୍ତି। ଝିଅକୁ ଡାକ୍ତରଖାନା ନେବାରେ ଜାଣିଶୁଣି ବିଳମ୍ବ କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ।

ad-week
Leave A Reply

Your email address will not be published.