ବିଜେପିରେ ମିଶିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ

add-all

ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ନେତା ଚମ୍ପାଇ ସୋରେନ ଆଜି ବିଜେପିରେ ଯୋଗ ଦେଇଛନ୍ତି। ରାଞ୍ଚିରେ ଝାରଖଣ୍ଡ ବିଜେପି ସଭାପତି ବାବୁଲା ମାରାଣ୍ଡି, କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଚମ୍ପାଇ ସୋରେନ ଦଳରେ ମିଶିଛନ୍ତି। ସେ ତାଙ୍କ ବହୁ ସମର୍ଥକଙ୍କ ସହିତ ବିଜେପିରେ ଯୋଗ ଦେଇଛନ୍ତି। 

ଦୁଇ ଦିନ ତଳେ ଚମ୍ପାଇ ସୋରେନ ମନ୍ତ୍ରୀ ଓ ବିଧାୟକ ପଦରୁ ଇସ୍ତଫା ଦେବା ସହିତ ଜେଏମ୍‌ଏମ୍ ମଧ୍ୟ ଛାଡ଼ିଥିଲେ। ସେ ଜେଏମ୍‌ଏମ୍ ମୁଖ୍ୟ ଶିବୁ ସୋରେନଙ୍କ ପାଖକୁ ଏକ ଚିଠି ଲେଖି କହିଥିଲେ ଯେ ଏବେ ଦଳ ଯେଉଁ ଭଳି ଢଙ୍ଗରେ କାର୍ଯ୍ୟ କରୁଛି, ତାହା ତାଙ୍କୁ ଦଳ ଛାଡ଼ିବାକୁ ବାଧ୍ୟ କରିଛି। ଏହା ସହିତ ଦଳ ଆପଣାଉଥିବା ନୀତିଗୁଡ଼ିକ ସହିତ ମଧ୍ୟ ସେ ସହମତ ନଥିବା ଉଲ୍ଲେଖ କରିଥିଲେ।   

ଚମ୍ପାଇ ସୋରେନ ଆହୁରି ଲେଖିଥିଲେ, ମୁଁ ଜେଏମ୍‌ଏମ୍ ଛାଡ଼ିବି ବୋଲି କେବେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି। ଏହା ମୋ ପରିବାର ଭଳି ଥିଲା। କିନ୍ତୁ ଘଟିଯାଇଥିବା କିଛି କଥା ମୋତେ ବାଧ୍ୟ କରିଛି ଦୁଃଖର ସହିତ ଦଳ ଛାଡ଼ିବାକୁ। ମୁଁ ଦୁଃଖର ସହିତ କହୁଛି ଯେ ଦଳ ଏବେ ତା’ ମୂଳ ଲକ୍ଷ୍ୟରୁ ବିଚ୍ୟୁତ ହୋଇଛି।   

ଚମ୍ପାଇ ସୋରେନ ଚଳିତ ବର୍ଷ ଫେବ୍ରୁଆରୀ ମାସ ୨ ତାରିଖରେ ଝାରଖଣ୍ଡର ଦ୍ୱାଦଶତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଗତ ଜୁଲାଇ ୩ ତାରିଖରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ। ଜୁଲାଇ ୪ ତାରିଖରେ ଜେଏମ୍‌ଏମ୍‌ର କାର୍ଯ୍ୟନିର୍ବାହୀ ସଭାପତି ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ହେମନ୍ତ ସୋରେନଙ୍କୁ ଜେଲ ଯିବାକୁ ପଡ଼ିବାରୁ ସେ ଇସ୍ତଫା ଦେଇଥିଲେ ଓ ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ଜେଲ୍‌ରୁ ଫେରିବା ପରେ ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥିଲା। ତେବେ ଚଳିତ ମାସ ପ୍ରାରମ୍ଭରେ ଚମ୍ପାଇ ସୋରେନ କହିଥିଲେ ଯେ ହେମନ୍ତ ସୋରେନ ଜେଲ୍‌ରୁ ଫେରିବା ପରେ ତାଙ୍କ ସହିତ କରିଥିବା ବ୍ୟବହାର ତାଙ୍କୁ ଭାରି ବାଧି ଥିଲା। 

ad-week
Leave A Reply

Your email address will not be published.