ଆମେରିକାରେ ରାହୁଲ ଗାନ୍ଧିଙ୍କ ‘ଶିଖ’ ବୟାନକୁ ନେଇ ଘେରିଲା ବିଜେପି

add-all

ଆମେରିକାର କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଦେଇଥିବା ‘ଶିଖ’ ବୟାନକୁ ନେଇ ଚିହିଁକି ଉଠିଛି ବିଜେପି। ରାହୁଲଙ୍କ ବୟାନକୁ ବିଜେପି ସମାଲୋଚନା କରିବା ସହ ବିଦେଶରେ ଥିବା ବେଳେ କଂଗ୍ରେସ ସାଂସଦ ବିପଦଜନକ ପ୍ରସଙ୍ଗର ପ୍ରଚାର କରୁଛନ୍ତି ବୋଲି ଦଳ ଅଭିଯୋଗ କରିଛି।

ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ “ଅପ୍ରତ୍ୟାଶିକ ଭାବେ ସେ(ରାହୁଲ ଗାନ୍ଧି) କହିଛନ୍ତି ଭାରତରେ ଶିଖ ସଂପ୍ରଦାୟର ଲୋକ କାଳେ ପଗଡ଼ି ପିନ୍ଧି ପାରିବେ ନାହିଁ ବୋଲି ଚିନ୍ତାରେ ରହୁଛନ୍ତି। କିନ୍ତୁ ମୁଁ ୬୦ ବର୍ଷ ହେଲାଣି ପଗଡ଼ି ପିନ୍ଧି ଚାଲିଛି। ଏହି ସରକାର (ବିଜେପି ସରକାର) ଶିଖ ସଂପ୍ରଦାୟର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ।

ମୁଁ ଭାବୁନି ଏହା ଏକ ପ୍ରସଙ୍ଗ। ୧୯୪୭ ପରେ ପ୍ରଥମଥର ପାଇଁ ଏବେ ଶିଖମାନେ ନିଜକୁ ଅଧିକ ସୁରକ୍ଷିତ ମଣୁଛନ୍ତି ଓ ସମ୍ମାନର ଅଧିକାରୀ ହୋଇଛନ୍ତି। ପୂର୍ବରୁ ଇତିହାସରେ କେବେ ବି ଏମିତି ଘଟିଥିଲା ବୋଲି ମୁଁ ଜାଣିନି। ରାହୁଲ ଗାନ୍ଧିଙ୍କ ପରିବାର ଲୋକ କ୍ଷମତାରେ ଥିବା ବେଳେ ଆମେ(ଶିଖ) ଚିନ୍ତା କରୁଥିଲୁ। ନିଜକୁ ଅସୁରକ୍ଷିତ ମଣୁଥିଲୁ ଓ ଆମକୁ ଭୟ ମଧ୍ୟ ଲାଗୁଥିଲା।

୧୯୮୪ରେ ଶିଖ ସଂପ୍ରଦାୟ ବିରୋଧରେ ଗୋଟିଏ ଅଭିଯାନ ଆରମ୍ଭ ହୋଇଥିଲା। ୩୦୦୦ ନିରୀହ ଲୋକଙ୍କୁ ହତ୍ୟା କରାଯାଇଥିଲା। ଲୋକଙ୍କୁ ସେମାନଙ୍କ ଘର ଭିତରୁ ଘୋଷାରି ଅଣା ଯାଉଥିଲା ଓ ସେମାନଙ୍କୁ ବାନ୍ଧି ଜୀବନ୍ତ ଜଳାଇ ଦିଆଯାଉଥିଲା।”

ଏହାପୂର୍ବରୁ ଆମେରିକାର ଭିରଜିନିଆରେ ରାହୁଲ ଗାନ୍ଧି କହିଥିଲେ ଯେ “ପ୍ରଥମେ ଆମକୁ ପ୍ରକୃତରେ କ’ଣ ପାଇଁ ଲଢ଼େଇ ହେଉଛି, ସେକଥା ବୁଝିବାକୁ ପଡ଼ିବ। ଏହା ରାଜନୀତିକ ଲଢ଼େଇ ନୁହେଁ। ଏହା ସୁପରଫିସିଆଲ। ଜଣେ ଶିଖକୁ ଭାରତରେ ପଗଡ଼ି ପିନ୍ଧିବାକୁ ଅନୁମତି ମିଳିବ କି ନାହିଁ? ଜଣେ ଶିଖକୁ ଭାରତରରେ କଡ଼ା ପିନ୍ଧିବାକୁ ଅନୁମତି ମିଳିବ କି ନାହିଁ? ଜଣେ ଶିଖ ହିସାବରେ ଗୁରୁଦ୍ୱାରା ଯାଇ ପାରିବ କି ନାହିଁ, ବର୍ତ୍ତମାନ ସେହି ଲଢ଼େଇ ଚାଲିଛି। ଏହି ଲଢ଼େଇ କେବଳ ଶିଖମାନଙ୍କ ପାଇଁ ନୁହେଁ, ସବୁ ଧର୍ମାବଲମ୍ବୀଙ୍କ କ୍ଷେତ୍ରରେ ଘଟୁଛି।”

ଏହାକୁ ବିଜେପି ସମାଲୋଚନା କରିବା ସହ ୧୯୮୪ରେ ଶିଖ ଦଙ୍ଗା କଥା ଉଠାଇଛି।

ad-week
Leave A Reply

Your email address will not be published.