ଇସ୍ତଫା ଦେବାକୁ ରାଜି ଥିବା ଘୋଷଣା କଲେ ମମତା ବାନାର୍ଜୀ

add-all

କୋଲକାତା : ଆନ୍ଦୋଳନ କରୁଥିବା ଜୁନିୟର ଡାକ୍ତରଙ୍କ ସହ ଲାଗି ରହିଥିବା ଅଚଳା ଅବସ୍ଥା ମଧ୍ୟରେ ବଡ଼ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ନିଜ ପଦରୁ ଇସ୍ତଫା ଦେବାକୁ ରାଜି ଥିବା ଆଜି କହିଛନ୍ତି।
ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ଘଟଣା ବିରୋଧରେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି। ଆଜି ସେମାନଙ୍କ ସହ ମମତା ବାନାର୍ଜୀ ନବାନ୍ନରେ ଆଲୋଚନା କରିବାର ଥିଲେ। ମମତା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଆଲୋଚନା ପାଇଁ ୨ ଘଣ୍ଟା କାଳ ଅପେକ୍ଷା କରି ରହିଥିଲେ ହେଁ କେହି ବି ସେଠାକୁ ଆସି ନଥିଲେ। ଏହାକୁ ନେଇ ମମତା ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାପରେ ସେ ଲୋକଙ୍କ ସ୍ୱାର୍ଥ ପାଇଁ ଇସ୍ତ‍ଫା ଦେବାକୁ ରାଜି ଥିବା ଘୋଷଣା କରିଛନ୍ତି।
ମମତା କହିଛନ୍ତି, “ଆମ ସରକାର ଅପମାନିତ ହୋଇଛନ୍ତି। ସାଧାରଣ ଲୋକ ଜାଣନ୍ତି ନାହିଁ ଯେ ଏହାକୁ ରାଜନୀତିକ ରଙ୍ଗ ଦିଆଯାଉଛି। ସେମାନେ ନ୍ୟାୟ ଚାହୁଁ ନାହାନ୍ତି। ସେମାନେ ଚେୟାର ଚାହୁଁନ୍ତି। ଲୋକଙ୍କ ସ୍ୱାର୍ଥ ପାଇଁ ମୁଁ ପଦ ଛାଡ଼ିବାକୁ ପ୍ରସ୍ତୁ। ମୁଁ ମୁଖ୍ୟମନ୍ତ୍ରୀ ପଦ ଚାହେଁ ନାହିଁ। ମୁଁ ତିଳୋତମା(ଆରଜି କର ପୀଡ଼ିତାଙ୍କ ଛଦ୍ମନାମ)ଙ୍କ ପାଇଁ ନ୍ୟାୟ ଚାହୁଁଛି। ସାଧାରଣ ଲୋକ ହସ୍ପିଟାଲରେ ଚିକିତ୍ସିତ ହୋଇପାରନ୍ତୁ ବୋଲି ମୁଁ ଚାହୁଁଛି।”
ମମତା ବାନାର୍ଜୀ ଆହୁରି କହିଛନ୍ତି, “ଆମ ପାଖରେ ବୈଠକକୁ ରେକର୍ଡ କରିବାର ପୂରା ବ୍ୟବସ୍ଥା ରହିଥିଲା। ସ୍ୱଚ୍ଛତା ଓ ପ୍ରକୃତ ତଥ୍ୟ ପାଇଁ ଆମେ ପୂରା ପ୍ରକ୍ରିୟାର ଭିଡିଓ ରେକର୍ଡିଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଜାରି କରିବା ପାଇଁ ପ୍ରସ୍ତୁତ ଥିଲୁ। ମାମଲା ବିଚାର ପ୍ରକ୍ରିୟାରେ ରହିଥିବାରୁ ଆମେ ଲାଇଭ ଟେଲିକାଷ୍ଟ କରିବା ସପକ୍ଷରେ ନାହୁଁ।”
ଆନ୍ଦୋଳନକାରୀ ଡାକ୍ତର ପ୍ରାରମ୍ଭିକ ପର୍ଯ୍ୟାୟରେ ଆଜି ୫ଟାରେ ହେବାକୁ ଥିବା ବୈଠକ ପାଇଁ ରାଜି ହୋଇଥିଲେ। କିନ୍ତୁ ଲାଇଭ ଟେଲିକାଷ୍ଟ ଦାବିରେ ସେମାନେ ନବାନ୍ନ ଭିତରକୁ ମିଟିଂ ପାଇଁ ଆସି ନାହାନ୍ତି। ମମତା ଓ ଜଣେ ଅଧିକାରୀ ଚେୟାର ପକାଇ ଆଲୋଚନା କରିବାକୁ ଅପେକ୍ଷା କରିବା ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ad-week
Leave A Reply

Your email address will not be published.