ଏଥର ଦଶମ ଶ୍ରେଣୀ ଷାଣ୍ମାସିକ ପ୍ରଶ୍ନପତ୍ର ଛପାଇବନି ବୋର୍ଡ

add-all

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ଆୟୋଜିତ ହେଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଷାଣ୍ମାସିକ ବା ଅର୍ଦ୍ଧବାର୍ଷିକୀ ପରୀକ୍ଷା ଆୟୋଜନ କରିବ ନାହିଁ। ହାଇସ୍କୁଲ୍‌ ସାର୍ଟିଫିକେଟ୍‌ ପରୀକ୍ଷା ତଥା ମାଟ୍ରିକ୍‌ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ଏହି ଅର୍ଦ୍ଧବାର୍ଷିକୀ ପରୀକ୍ଷା ବିଦ୍ୟାଳୟ ସ୍ତରରେ ପ୍ରଧାନ ଶିକ୍ଷକମାନେ ହିଁ ଆୟୋଜନ କରାଇବେ।

ଏନେଇ ବୋର୍ଡ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ସେପ୍ଟେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଷାଣ୍ମାସିକ ପରୀକ୍ଷା ଆୟୋଜନ କରାଇବା ଲାଗି ବୋର୍ଡ ପକ୍ଷରୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ରହିଥିଲା। କିନ୍ତୁ ତାହା କେବଳ କାଗଜପତ୍ରରେ ସୀମିତ ରହିଛି। ଅନ୍ୟପଟେ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ଶେଷ ହୋଇଥିଲେ ମଧ୍ୟ ଅଦ୍ୟାବଧି ରାଜ୍ୟରେ କୌଣସି ବିଦ୍ୟାଳୟ ସ୍ତରରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଷାଣ୍ମାସିକ ପରୀକ୍ଷା ଆୟୋଜନ ହୋଇପାରିନାହିଁ। ଯାହାକୁ ନେଇ ଶିକ୍ଷାବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ସେହିପରି ସେପ୍ଟେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଷାଣ୍ମାସିକ ପରୀକ୍ଷା ଶେଷ କରିବା ପାଇଁ ବୋର୍ଡ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି। ତେବେ ମାଟ୍ରିକ୍‌ ପରୀକ୍ଷା ପୂର୍ବରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ପରୀକ୍ଷା ଆୟୋଜନକୁ ନେଇ ଏକ ମାର୍ଗଦର୍ଶିକା ହାଇସ୍କୁଲ୍‌ ପ୍ରଧାନ ଶିକ୍ଷକମାନଙ୍କୁ ପ୍ରଦାନ କରାଯାଇଛି। ପ୍ରାୟ ୪ ବର୍ଷ ହେବ ବୋର୍ଡ ପକ୍ଷରୁ ଦଶମ ଶ୍ରେଣୀର ଅର୍ଦ୍ଧବାର୍ଷିକୀ ପରୀକ୍ଷା ଲାଗି ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇ ଜିଲ୍ଲା ସ୍ତରକୁ ପଠାଯାଉଥିଲା। ଉକ୍ତ ପ୍ରଶ୍ନପତ୍ର ପ୍ରଧାନ ଶିକ୍ଷକମାନେ ଗ୍ରହଣ କରି ନିଜ ଉଦ୍ୟମରେ ପରୀକ୍ଷା କରାଉଥିଲେ। ସେହିପରି ମୂଲ୍ୟାୟନ ମଧ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା କରାଯାଉଥିଲା। ତେବେ ଉକ୍ତ ପରୀକ୍ଷାର ନମ୍ବରକୁ ମାଟ୍ରିକ୍‌ ମୂଲ୍ୟାୟନରେ ଅନ୍ତର୍ଭୁକ୍ତ କରାଯାଉନଥିବାରୁ ବୋର୍ଡ ପ୍ରଶ୍ନପତ୍ର ପ୍ରସ୍ତୁତିରୁ ଏବେ ଦୂରେଇ ରହିଛି।

ad-week
Leave A Reply

Your email address will not be published.