ବିଜେପି ପାକିସ୍ତାନକୁ ବାହା ହୋଇଯାଇଛି : ଖଡଗେ

add-all

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରେ ମେଣ୍ଟ କରିଥିବା କଂଗ୍ରେସ ଓ ନ୍ୟାଶନାଲ କନଫରେନ୍ସର ଏଜେଣ୍ଡା ପାକିସ୍ତାନ ସହ ମେଳ ଖାଉଥିବା ଅଭିଯୋଗ କରି ଦୁଇ ଦଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତୀବ୍ର ସମାଲୋଚନା କରିବାରେ ଲାଗିଛନ୍ତି। ମୋଦି ଓ ଶାହଙ୍କ ଏପରି ସମାଲୋଚନାର ଦୃଢ଼ ଜବାବ ଦେଇଛନ୍ତି କଂଗ୍ରେସ ମୁଖିଆ ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ।
ସେ ଅଭିଯୋଗକୁ ଦୃଢ଼ତାର ସହ ଖଣ୍ଡନ କରିବା ସହ କହିଛନ୍ତି ଯେ “ବିଜେପି ସମ୍ଭବତଃ ଆମକୁ(ଭାରତ) ଭଲ ପାଇପାରେ। କିନ୍ତୁ ଦଳ ପାକିସ୍ତାନକୁ ବିବାହ କରି ସାରିଛି।” ତାଙ୍କ କହିବା କଥା ଯେ ଜମ୍ମୁ-କଶ୍ମୀର ପାଇଁ କଂଗ୍ରେସର ଏଜେଣ୍ଡା ହେଲା ଲୋକଙ୍କ କଲ୍ୟାଣ ଓ ବିକାଶ। ପାକିସ୍ତାନ ସହ ଏହାର କୌଣସି ସମ୍ପର୍କ ନାହିଁ।
ଶନିବାର ଜମ୍ମୁରେ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି ଖଡଗେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, “ଆମ ପାର୍ଟି ସେମିତି ନୁହେଁ, ଯିଏ ପାକିସ୍ତାନ ଯାଇ ବିରିୟାନୀ ଖାଇଥିଲେ ଓ ଆଲିଙ୍ଗନ କରିଥିଲେ।” ଏଠାରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୨୦୧୫ ଅପ୍ରତ୍ୟାଶିତ ପାକିସ୍ତାନ ଗସ୍ତ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏହି ସମୟରେ ମୋଦି ତାଙ୍କ ପାକିସ୍ତାନ ପ୍ରତିପକ୍ଷ ନୱାଜ ଶରିଫଙ୍କୁ ଭେଟିବାକୁ ଇସଲାମାବାଦରେ ବିମାନ ଧରି ପହଞ୍ଚି ଯାଇଥିଲେ। ଖଡଗେ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ପାକିସ୍ତାନ, କଂଗ୍ରେସ ଓ ନ୍ୟାଶନାଲ କନଫରେନ୍ସର ଏଜେଣ୍ଡା ସମ୍ପର୍କରେ ଯେଉଁ ସବୁ କଥା କହୁଛନ୍ତି, ସେସବୁ ମିଛ। ଏହା କେବଳ ପ୍ରକୃତ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ପ୍ରୟାସ। ମୁଁ ଆପଣମାନଙ୍କୁ ପଚାରିବାକୁ ଚାହୁଁଛି, ସେମାନେ(ବିଜେପି) ୧୦ ବର୍ଷ ହେଲା କେନ୍ଦ୍ରରେ କ୍ଷମତାରେ ରହିଛନ୍ତି।
ସେମାନଙ୍କ ରାଜ୍ୟପାଳ ମଧ୍ୟ ଏଠାରେ ନିଯୁକ୍ତ ହୋଇଛନ୍ତି। କାମ କରିବା ପାଇଁ ସେମାନେ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ, ସେସବୁ କାହିଁକି ପୂରଣ କରିନାହାନ୍ତି? ଆପଣ ପାକିସ୍ତାନ କଥା କହୁଛନ୍ତି। ହେଲେ ଆମେ କେବା ହେଲେ ବିରିୟାନୀ ଖାଇବାକୁ ଯାଇ ନାହୁଁ। ଆପଣ ସେମିତି କରିଛନ୍ତି। ଏବେ ଆପଣ ଆମକୁ ଦୋଷ ଦେଉଛନ୍ତି। ସେମାନେ (ବିଜେପି) ଆମକୁ(ଭାରତ) ଭଲ ପାଉଥିବା କଥା କହୁଛନ୍ତି। କିନ୍ତୁ ବାସ୍ତବରେ ସେମାନେ ପାକିସ୍ତାନକୁ ବିବାହ କରି ସାରିଛନ୍ତି।”
କିଛି ଦିନ ତଳେ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ପ୍ରଚାର ବେଳେ ମୋଦି କହିଥିଲେ ଯେ ଏନସି ଓ କଂଗ୍ରେସ ମେଣ୍ଟର ଏଜେଣ୍ଡା ପାକିସ୍ତାନ ସ୍ୱାର୍ଥ ସହ ମେଳ ଖାଉଛି। ଏଥିସହ କଂଗ୍ରେସକୁ ଗୋଟିଏ ଭୋଟ ଦେବାର ଅର୍ଥ ଉପତ୍ୟକାରେ ପୁଣି ଧାରା ୩୭୦ ଲାଗୁ ହେବା ସହ ସମାନ। ଧାରା ୩୭୦ ଲାଗୁ ହେବେ ବୋଲି ଉପତ୍ୟକାରେ ହିଂସା ଘଟିବ ବୋଲି ମୋଦି ସତର୍କ କରାଇଥିଲେ।

ad-week
Leave A Reply

Your email address will not be published.