ବିଶିଷ୍ଟ ସାହିତ୍ୟିକ ଡ. ହରିହର ମିଶ୍ରଙ୍କ ପରଲୋକ

add-all

ପୁରୀ: ଆରପାରିରେ ବିଶିଷ୍ଟ ସାହିତ୍ୟିକ ତଥା ଓଡ଼ିଶା ସାହିତ୍ୟ ଏକାଡ଼େମୀର ପୂର୍ବତନ ସଭାପତି ଡ. ହରିହର ମିଶ୍ର l ଆଜି ସକାଳେ ପୁରୀସ୍ଥିତ ନିଜ ବାସଭବନରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି l ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ଓଡ଼ିଶାର ସାହିତ୍ୟିକ ମହଲରେ ସେ ହରି ଭାଇନା ଭାବରେ ମଧ୍ୟ ବେଶ ପରିଚିତ l

ସୂଚନା ଅନୁସାରେ, ଦୀର୍ଘ ଦିନ ଧରି କିଡନି ରୋଗରେ ପୀଡ଼ିତ ହୋଇ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଡ. ହରିହର ମିଶ୍ର । ଗତ ୫ ଦିନ ତଳେ ତାଙ୍କୁ ତାଙ୍କର ପୁରୀ ସ୍ଥିତ ବାସଭବନକୁ ଅଣାଯାଇଥିଲା। ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ହରିହର ମିଶ୍ର ୧୯୪୦ ମସିହା ନଭେମ୍ବର ୧୯ ତାରିଖରେ ପୁରୀର ମାର୍କଣ୍ଡେଶ୍ୱର ସାହିରେ ଜନ୍ମଗ୍ରହଣ କରିଥିଲେ। ସେ ଓଡ଼ିଆ ଭାଷାସାହିତ୍ୟରେ ସ୍ନାତକୋତ୍ତର ହାସଲ କରିଛନ୍ତି। ଡ. ହରିହର ମିଶ୍ର ଏକାଧାରରେ ଜଣେ କବି, ଗାଳ୍ପିକ ଏବଂ ନାଟ୍ୟକାର। ସେ ଚାକିରୀ ଜୀବନରେ ବିଭିନ୍ନ କଲେଜରେ ଅଧ୍ୟାପକ ଭାବରେ କାର୍ଯ୍ୟ କରିଥିଲେ ମଧ୍ୟ। ୨୦୧୬ରୁ ୨୦୨୧ ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚ ବର୍ଷ କାଳ ‘ଓଡିଶା ସାହିତ୍ୟ ଏକାଡେମୀ’ର ସଭାପତି ଥିଲେ।

ସେ ଶାରଳା ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ତଥା ବିଷୁବ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି। ବିଶ୍ବନାଥ ମିଶ୍ରଙ୍କ ପ୍ରଯୋଜିତ ତଥା ନଗେନ୍ ରାୟଙ୍କ ନିର୍ଦ୍ଦେଶିତ ତପସ୍ୟା (୧୯୮୦) ଛବିରେ ତାଙ୍କ ରଚିତ ‘ଢାଳିଦିଅ ସାରା ଧରଣୀରେ ଆଜି ତୁମରି ଆଶିଷ ଧାରା…ଆଜି ବି ଖୁବ୍ ଲୋକପ୍ରିୟ। ନିନ୍ଦିତ ଗଜପତି’ ତାଙ୍କ ଦ୍ବାରା ରଚିତ ଏକ ବହୁଚର୍ଚ୍ଚିତ ନାଟକ।

ad-week
Leave A Reply

Your email address will not be published.