କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ମାମଲା ରୁଜୁ

add-all

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ଜମି ଦୁର୍ନୀତି ମାମଲାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ସଂସ୍ଥା ଲୋକାୟୁକ୍ତ ଏକ ମାମଲା ରୁଜୁ କରିଛି। ଏଫାଇଆରରେ ସିଦ୍ଧରମୈୟାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ନାମିତ କରାଯାଇ ଥିବାବେଳେ ତାଙ୍କ ପତ୍ନୀ ପାର୍ବତୀ, ଶଳା ମଲ୍ଲିକାର୍ଜୁନ ସ୍ୱାମୀ ଏବଂ ଜଣେ ଜମି ମାଲିକଙ୍କ ନାଁ ରହିଛି। 

ପ୍ରକାଶ ଥାଉକି, କର୍ଣ୍ଣାଟକର ଜଣେ ଆରଟିଆଇ କାର୍ଯ୍ୟକର୍ତ୍ତା ଟି.ଜେ ଆବ୍ରାହମ ମୈସୁର ସହରାଞ୍ଚଳ ବିକାଶ ପ୍ରାଧିକରଣ (MUDA) ଜମି ଆବଣ୍ଟନରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ଘୋଟାଲା ଅଭିଯୋଗ ଆଣିଥିଲେ। ନିୟମ ଉଲ୍ଲଙ୍ଘନ କରି ସିଦ୍ଧରମୈୟାଙ୍କ ପତ୍ନୀଙ୍କୁ MUDA ବହୁମୂଲ୍ୟର ସମ୍ପତ୍ତି ଦେଇଥିବା ଅଭିଯୋଗରେ ଦର୍ଶାଯାଇଥିଲା।

ସେ ଏହି ଦୁର୍ନୀତିର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେବାକୁ ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟଙ୍କୁ ଅନୁରୋଧ କରିଥିଲେ। ଅନୁରୋଧ କ୍ରମେ ଅଗଷ୍ଟରେ ରାଜ୍ୟପାଳ ଲୋକାୟୁକ୍ତ ପୁଲିସକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହା ବିରୁଦ୍ଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଅଭିଯୋଗ ସମ୍ପୂର୍ଣ୍ଣ ରୂପେ ଭିତ୍ତିହୀନ ଏବଂ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ, ବିଜେପିର ଏହା ଏକ ଚାଲ୍ ଦର୍ଶାଇ ହାଇକୋର୍ଟରେ ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲେ ସିଦ୍ଧରମୈୟା। ଦୁଇ ଦିନ ତଳେ ହାଇକୋର୍ଟ ଏ ଉପରେ ଶୁଣାଣି କରି ରାଜ୍ୟପାଳଙ୍କ ନିଷ୍ପତ୍ତିକୁ କାଏମ ରଖିଥିଲେ।

ରାଜ୍ୟପାଳଙ୍କ ନିଷ୍ପତ୍ତି ସମ୍ପୂର୍ଣ୍ଣ ରୂପେ ସାମ୍ବିଧାନିକ। ସମ୍ବିଧାନ ନିୟମ ଅନୁସାରେ ରାଜ୍ୟପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏ ଉପରେ ଆମେ ରୋକ୍ ଲଗାଇ ପାରିବୁ ନାହିଁ ବୋଲି ହାଇକୋର୍ଟ କହିଥିଲେ। ଏହାପରେ ଆଜି ଲୋକାୟୁକ୍ତ ସିଦ୍ଧରମୈୟା, ତାଙ୍କ ପତ୍ନୀ, ଶଳା ଏବଂ ଜଣେ ଜମି ମାଲିକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। 

ad-week
Leave A Reply

Your email address will not be published.