ରାଜଧାନୀରେ ଚାଞ୍ଚଲ୍ୟ: ୪ ଝିଅକୁ ହତ୍ୟା କରି ଆତ୍ମହତ୍ୟା କଲା ବାପା

add-all

ନୂଆଦିଲ୍ଲୀ : ଦେଶର ରାଜଧାନୀ ନୂଆଦିଲ୍ଲୀରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଜଣେ ବାପା ନିଜର ୪ ଝିଅକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ବସନ୍ତକୁଞ୍ଜ ଅନ୍ତର୍ଗତ ରଙ୍ଗପୁରୀ ପାହାଡ଼ି ଅଞ୍ଚଳରେ ଏହି ଜଘନ୍ୟ କାଣ୍ଡ ଘଟିଛି।
ଶୁକ୍ରବାର ସକାଳ ପ୍ରାୟ ୧୦ଟା ୧୮ରେ ପୁଲିସ ନିକଟକୁ ଏକ ଫୋନ ଆସିଥିଲା। ଜଣେ ଘର ମାଲିକ ଏହି ଫୋନ କରିଥିଲେ। ତାଙ୍କ ଭଡ଼ାଟିଆ ଘର ଖୋଲୁ ନ ଥିବା ବ୍ୟକ୍ତି ଜଣକ ପୁଲିସକୁ କହିଥିଲେ। ତୁରନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।
ଘର ମାଲିକ ନିତିନ ଚୌହାନ ପୁଲିସକୁ କହିଥିଲେ ଯେ, ତାଙ୍କ କେୟାରଟେକର ୩ୟ ମହଲା ସଫେଇ କରିବାକୁ ଯାଇଥିବାବେଳେ ଏକ ଘର ଭିତରୁ ଦୁର୍ଗନ୍ଧ ଆସିଥିଲା। ସେ ଯେତେ କବାଟ ବାଡ଼େଇଲେ ମଧ୍ୟ କେହି ଖୋଲି ନ ଥିଲେ। ତେଣୁ ସେ ଥାନାକୁ ଫୋନ କରିଥିଲେ।
ପୁଲିସ ପହଞ୍ଚି କବାଟ ଭାଙ୍ଗି ଘରେ ପଶିବା ବେଳକୁ ପ୍ରଥମ ଘରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲା। ଅନ୍ୟ ଏକ ଘରେ ଆଉ ୪ ଯୁବତୀଙ୍କ ମୃତଦେହ ପଡ଼ିଥିଲା। ମୃତକମାନେ ହେଲେ ହୀରାଲାଲ ଶର୍ମା(୪୬) ଏବଂ ତାଙ୍କର ୪ ଝିଅ ନୀତୁ(୨୬), ନିକ୍କି(୨୪), ନୀରୁ(୨୩) ଏବଂ ନିଧି(୨୦)।
ପଡ଼ୋଶୀମାନଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ହୀରାଲାଲଙ୍କ ସ୍ତ୍ରୀ କିଛି ବର୍ଷ ତଳେ କର୍କଟରେ ପ୍ରାଣ ହରାଇଥିଲେ। ସାନ ଦୁଇ ଝିଅ ଦିବ୍ୟାଙ୍ଗ। ହୀରାଲାଲ ସ୍ଵଳ୍ପ ରୋଜଗାରରେ ପରିବାର ଚଳାଇବାରେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ସେହି କାରଣରୁ ସେ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ପୁଲିସ ଘଟଣାସ୍ଥଳରୁ ୩ ପ୍ୟାକେଟ ସେଲଫସ ବିଷ ଜବତ କରିଛି। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ad-week
Leave A Reply

Your email address will not be published.